ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

46

ଭୁବନେଶ୍ୱର: କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ସାଂସ୍କୃତିକ ଏବଂ ପ୍ରକଳ୍ପ ବୈଷୟିକ ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଓବିସିସି ଅଧିକାରୀ, ଜଗନ୍ନାଥ ସଂସ୍କୃତି ଗବେଷକ ମାନେ ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଶ୍ରୀମନ୍ଦିର ଏମାର ମଠ ନିକଟରେ ଏକ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ହେବ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ତତ୍ତ୍ଵ ଏବଂ ଐତିହାସିକ ତଥ୍ୟାବଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିଷୟରେ ଶ୍ରଦ୍ଧାଳୁଙ୍କୁ ସୂଚନା ଦିଆଯିବ lସେହିପରି ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ଶ୍ରୀମନ୍ଦିର ବିଶ୍ଵସ୍ତରୀୟ ରଘୁନନ୍ଦନ ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ସମ୍ପର୍କିତ ସମସ୍ତ ତଥ୍ୟ, ପୁସ୍ତକ ରଖାଯିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଗବେଷଣା କରିବାକୁ ଚାହୁଁଥିବା ଗବେଷକଙ୍କୁ ସମସ୍ତ ତଥ୍ୟ, ପାଣ୍ଡୁଲିପି ଯୋଗାଇ ଦିଆଯିବ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରୀରେ ପରିଣତ କରାଯିବ । ସେଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ମଧ୍ୟ ବିକ୍ରି କରାଯିବ । ଏହି ଦୁଇ ପ୍ରକଳ୍ପର ନକ୍ସା ଓ ଡିଜାଇନ୍ ଓବିସିସି ପକ୍ଷରୁ ଏହି ବୈଠକରେ ଉପସ୍ଥାପନା କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed, but trackbacks and pingbacks are open.