କିଟ୍‍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

41

ଭୁବନେଶ୍ୱର, ୧୦ ।୩: କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ। ଆସନ୍ତା ଏପ୍ରିଲରେ କିଟ୍ କ୍ୟାମ୍ପସରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ। ଏ ନେଇ ଆଜି ମୁମ୍ବାଇଠାରେ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି। ଏହା ସହିତ ଦେଶର ପୂର୍ବାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର କିଟ୍‍ ରେ ଆୟୋଜନ କରାଯାଉଛି।

କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିଟ୍ ସ୍କୁଲ ଅଫ୍ ଆର୍କିଟେକଚର ମହାନିର୍ଦ୍ଦେଶକ ପ୍ରଫେସର ଏସ୍ ଏସ୍ ରାୟ ଓ ଟାଇମ୍ ଗ୍ରୁପ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ ଗୋପ କୁମାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ମୁମ୍ବାଇର ଟାଇମସ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫେମିନା ମିସ୍ ଇଣ୍ଡିଆ ୨୦୨୫ର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବୁଝାମଣା ସମୟରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫେମିନା ମିସ୍ ଇଣ୍ଡିଆ ପକ୍ଷରୁ ଦୀର୍ଘ ୪ ମାସ ପୂର୍ବରୁ କିଟ୍ ଓ କିସ୍ ପରିଦର୍ଶନ କରି ଏହାର ଭିତ୍ତିଭୂମି ବୁଲି ଦେଖିଥିଲେ। କିଟର ଅତି ସୁନ୍ଦର ଭିତ୍ତିଭୂମି ଦେଖି କିଟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଫେମିନା ମିସ୍ ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ ଏହା ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ ହୋଇଥିବାରୁ ଏହା କିଟ୍‌, କିସ୍ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ ଶ୍ରୀ ସାମନ୍ତ ଟାଇମସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବିନୀତ ଜୈନ, ସିଇଓ ରୋହିତ ଗୋପକୁମାର ଓ ଫେମିନା ମିସ୍ ଇଣ୍ଡିଆ ଦଳକୁ ଧନ୍ୟବାଦ ଜଣାଇଥିଲେ।

Comments are closed, but trackbacks and pingbacks are open.