ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

35

ଭୁବନେଶ୍ୱର: ଓଡିଶା ରେଳ ସଂଯୋଗୀକରଣ ନେଇ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟର ୯ଟି ଷ୍ଟେସନ ଦେଇ ଗଡିବ ନୂତନ ଅମୃତ ଭାରତ ଟ୍ରେନ୍। ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନୂତନ ଅମୃତ ଭାରତ ଟ୍ରେନ୍ ତାମିଲନାଡ଼ୁ କୋଏମ୍ବାଟୁରର ପୋଦାନୁରରୁ ଝାଡ଼ଖଣ୍ଡର ଧାନବାଦ ଯାଏ ଚାଲିବ। ଏହା ଓଡ଼ିଶାର ଅଧିକାଂଶ ରେଳ ଷ୍ଟେସନକୁ ସଂଯୋଗ କରିବ। ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼ ରୋଡ଼୍, ସମ୍ବଲପୁର, ଝାରସୁଗୁଡା, ଏବଂ ରାଉରକେଲା ଷ୍ଟେସନ ଦେଇ ଅମୃତ ଭାରତ ଟ୍ରେନ୍ ଚଳାଚଳ କରିବ। ଏହା ଦ୍ୱାରା ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ଜିଲ୍ଲା ସହିତ କେବିକେ ଅଞ୍ଚଳ ଲାଭାନ୍ୱିତ ହେବେ। ତତସହିତ ତାମିଲନାଡ଼ୁର କୋଏମ୍ବାଟୁର, ତିରୁପ୍ପୁର ଓ ସାଲେମ ଏବଂ ଝାଡ଼ଖଣ୍ଡର ରାଞ୍ଚି, ବୋକାରୋ ଏବଂ ଧାନବାଦକୁ ସଂଯୋଗ କରିବ। ଏହା ଦ୍ୱାରା ଆର୍ଥିକ ଏବଂ ସାମାଜିକ ସଂଯୋଗୀକରଣ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ କେନ୍ଦ୍ର ସରକାରଙ୍କ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଓଡ଼ିଶାରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଯାହା ଆମ ଲୋକଙ୍କ ପାଇଁ ଅଧିକ ସୁବିଧା ଏବଂ ନୂତନ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.