ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମା: ପ୍ରବଳ ଗହଳି ଯୋଗୁଁ ଠେଲାପେଲା

209

ଭୁବନେଶ୍ୱର: ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ରତ୍ନବେଦୀରୁ ଦୋଳବେଦୀକୁ ବିଜେ କରିଛନ୍ତି ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ। ଏହି ଅବସରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅପୂର୍ବ ମିଳନ। ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଫଗୁ ଖେଳିବାର ସୁଯୋଗକୁ କୌଣସି ଭକ୍ତ ହାତଛଡ଼ା କରିନାହାନ୍ତି। ଚତୁର୍ଦ୍ଦିଗ ଫଗୁ ଓ ଅବିରରେ ରଙ୍ଗେଇ ହୋଇଯାଇଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କ ଉପରକୁ ଫଗୁ ଫିଙ୍ଗି ନିଜକୁ ଧନ୍ୟ ମନେ କରିଥିଲେ। ତେବେ ଏହି ଆନନ୍ଦ ଉଲ୍ଲାସ ଭିତରେ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ସହ ଫଗୁ ଖେଳିବା ଏବଂ ଟିକେ ପାଖରୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହେବାରୁ କିଛି ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏବଂ ସେବାୟତମାନେ ତୁରନ୍ତ ତଳେ ପଡ଼ିଯାଇଥିବା ଭକ୍ତମାନଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏହି ପେଲାଠେଲାରେ କୌଣସି ଭକ୍ତ ଗୁରୁତର ଆହତ କିମ୍ବା ଅସୁସ୍ଥ ହୋଇନାହାନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comments are closed, but trackbacks and pingbacks are open.