ପେଗାସସ୍‌ ଗୁଇନ୍ଦା ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ଭତ୍ସନା:ତଦନ୍ତ ପାଇଁ ୮ ସପ୍ତାହ ସମୟ ଦେଲେ

26

ପେଗାସସ୍‌ ଗୁଇନ୍ଦା ବିବାଦ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ପେଗାସସ୍‌ ଦ୍ୱାରା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟ ଙ୍କ ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କର ଗୋପନୀୟତା ଅଧିକାରର ଉଲ୍ଲଂଘନରୁ ରକ୍ଷା ପାଇବା ଉଚିତ୍। ଇସ୍ରାଏଲ ଦ୍ୱାରା ପ୍ରସ୍ତୁତ ପେଗାସସ ସ୍ପାଏୱେର ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀ ନେତା, ସାମ୍ବାଦିକଙ୍କ ଡାଟା ଚୋରି ନେଇ ଅଭିଯୋଗ ହୋଇଥିଲା I ଏହି ଗୁଇନ୍ଦା କାର୍ଯ୍ୟର ତଦନ୍ତ ନିମନ୍ତେ ଏକ ସ୍ୱାଧୀନ କମିଟି ଗଠନ କରିବା ଦାବି କରି ବରିଷ୍ଠ ସାମ୍ବାଦିକ ଏନ.ରାମ ,ଶଶୀ କୁମାର ଓ ଅନ୍ୟମାନେ ସୁପ୍ରିମକୋର୍ଟ ରେ ଆବେଦନ କରିଥିଲେ I ଆବେଦନ ଉପରେ ସେପ୍ଟେମ୍ବର ୧୩ ରେ ଶୁଣାଣି କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ I
ଆଜି ଏହି ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହାର ତଦନ୍ତ ବିଶେଷଜ୍ଞ ଟିମ ଦ୍ୱାରା କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌ଭି ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟିରେ ୩ ଜଣ ସଦସ୍ୟ ଅଛନ୍ତି। କମିଟିରେ ଆଇପିଏସ୍‌ ଆଲୋକ ଯୋଶୀ ଓ ସନ୍ଦୀପ ଓବରଇ ଅଛନ୍ତି। ଏହି କମିଟି ରାଇଟ ଟୁ ପ୍ରାଇଭେସି ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ କରିବ। ତଦନ୍ତ ପାଇଁ ୮ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ୮ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ କୌଣସି ଆଭିମୁଖ୍ୟ ସ୍ପଷ୍ଟ ନାହିଁ। ଗୋନୀୟତା ଉଲ୍ଲଂଘନ ଉପରେ ତଦନ୍ତା ହେବା ଜରୁରୀ। ସିଜେଇଆ ଏନ୍‌ଭି ରମନ୍ନା କହିଛନ୍ତି, ଆମେ ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନରୁ ରକ୍ଷା କରିବା ପାଇଁ କେବେ ବି ପଛଘୁଞ୍ଚା ଦେଇନାହୁଁ। ଗୋପନୀୟତା କେବଳ ସାମ୍ବାଦିକ ଏବଂ ରାଜନେତାଙ୍କ ପାଇଁ ନୁହେଁ, ଏହା ସାଧାରଣ ଲୋକଙ୍କ ଅଧିକାର ଅଟେ। ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବା ସାମ୍ବାଦିକ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସାମ୍ବାଦିକଙ୍କ ଉତ୍ସର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି।

ସୂଚନା ମୁତାବକ ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ୧୫ ଟି ଆବେଦନ କରାଯାଇଥିଲା। ପ୍ରାୟ ୩୦୦ ପ୍ରାମାଣିକ ଭାରତୀୟ ଫୋନ୍ ନମ୍ବର, ଯାହା ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଗୁପ୍ତଚର ହେବାର ସମ୍ଭାବ୍ୟ ଟାର୍ଗେଟ୍‌ ଥିଲା ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମ ଗୋଷ୍ଠୀ ରିପୋର୍ଟ ଦେଇଥିଲା। ତେବେ ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ପେଗାସସ୍‌ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ଦିଆଯାଇନାହିଁ। ତେଣୁ ଏହି ପରିସ୍ଥିତିରେ ମାମଲାର ଯାଞ୍ଚ ହେବା ଜରୁରୀ।

Leave A Reply

Your email address will not be published.