କେନ୍ଦ୍ର ବଜେଟ୍ରେ ଜାତୀୟ ଜଳପଥ-୫ (NW-5) ଉପରେ ଗୁରୁତ୍ୱ
ଓଡ଼ିଶାର ଗ୍ରୀନ୍ ଲଜିଷ୍ଟିକ୍ସ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ,ଶ୍ରୀମତୀ ଉଷା ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର :କେନ୍ଦ୍ର ବଜେଟ୍ରେ ଜାତୀୟ ଜଳପଥ, ବିଶେଷ କରି ଜାତୀୟ ଜଳପଥ-୫ (NW-5) ର ବିକାଶ ଉପରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ। ଏହି ଘୋଷଣା ରାଜ୍ୟରେ ଏକ ସ୍ଥାୟୀ, ମିତବ୍ୟୟୀ ଏବଂ ଭବିଷ୍ୟତ-ଉପଯୋଗୀ ଲଜିଷ୍ଟିକ୍ସ ବ୍ୟବସ୍ଥା ଗଠନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି।
ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଭରା ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରମୁଖ ଶିଳ୍ପ କେନ୍ଦ୍ର ଏବଂ ପାରାଦୀପ ଓ ଧାମରା ଭଳି ରଣନୈତିକ ବନ୍ଦର ସହିତ ସଂଯୋଗ କରୁଥିବା NW-5 ର ବିକାଶ ଦ୍ୱାରା ବହୁ ପରିମାଣର ପଣ୍ୟ ଦ୍ରବ୍ୟ ପରିବହନରେ ସୁବିଧା ହେବ। ଏହାସହ ସଡ଼କ ଓ ରେଳ ଭିତ୍ତିଭୂମି ଉପରେ ପଡ଼ୁଥିବା ଅତିରିକ୍ତ ଚାପ ମଧ୍ୟ ହ୍ରାସ ପାଇବ।
“ଜାତୀୟ ଜଳପଥ-୫ର ବିକାଶ ଓଡ଼ିଶାର ‘ବନ୍ଦର-ଭିତ୍ତିକ ଶିଳ୍ପାୟନ’ ଏବଂ ‘ଗ୍ରୀନ୍ ମୋବିଲିଟି’ (ସବୁଜ ପରିବହନ) ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ସମାନ। କୋଇଲା, ଖଣିଜ ପଦାର୍ଥ ଏବଂ ଇସ୍ପାତ ପରିବହନ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ହେଲେ ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସହିତ ଭାରତର ଜଳବାୟୁ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏହା ବହୁଳ ସହାୟକ ହେବ,” ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି।
ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଥିବା ପ୍ରାତିଷ୍ଠାନିକ ବ୍ୟବସ୍ଥା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ସ୍ପେଶାଲ ପର୍ପସ ଭେହିକିଲ୍ (SPV) ଭାବେ କାର୍ଯ୍ୟ କରୁଥିବା ଇନଲ୍ୟାଣ୍ଡ ୱାଟରୱେଜ୍ କନସୋର୍ଟିୟମ୍ ଅଫ୍ ଓଡ଼ିଶା ଲିମିଟେଡ୍ (IWCOL), ଓଡ଼ିଶା ସରକାର, ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଏକ ଦୃଢ଼ ମାଧ୍ୟମ ସାଜିବ।
ଏହି ପ୍ରକଳ୍ପ ଦ୍ୱାରା ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ଲଜିଷ୍ଟିକ୍ସ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆଭ୍ୟନ୍ତରୀଣ ଶିଳ୍ପ କ୍ଲଷ୍ଟର ଏବଂ ଉପକୂଳ ବନ୍ଦରଗୁଡିକ ମଧ୍ୟରେ ମଲ୍ଟିମୋଡାଲ କନେକ୍ଟିଭିଟି ବା ବହୁମୁଖୀ ସଂଯୋଗୀକରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଶ୍ରୀମତୀ ପାଢ଼ୀ କହିଛନ୍ତି, “କେନ୍ଦ୍ର ବଜେଟ୍ରେ ଜାତୀୟ ଜଳପଥ-୫ ଉପରେ ଦିଆଯାଇଥିବା ଗୁରୁତ୍ୱ, ଭାରତ ସରକାରଙ୍କ ଭିତ୍ତିଭୂମି ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଓଡ଼ିଶାକୁ ଦେଶର ଆଭ୍ୟନ୍ତରୀଣ ଜଳପଥ ଏବଂ ଗ୍ରୀନ୍ ଲଜିଷ୍ଟିକ୍ସ ରୂପାନ୍ତରଣର ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାପିତ କରିବ।”
Comments are closed, but trackbacks and pingbacks are open.