ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ମନ୍ତ୍ରୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ମାଷ୍ଟର ଟ୍ରେନର ଏବଂ ଶୈକ୍ଷିକ ନେତୃବୃନ୍ଦଙ୍କ ସହ ନୂତନ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ ଉପରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଏହା ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ (ଓଏସସିଏଫ) ଉପରେ ଆଧାରିତ ହେବ । ରାଜ୍ୟର ପ୍ରାୟ ୧.୬୭ ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ । ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶକୁ ନିରନ୍ତର ଜାରି ରଖିବାକୁ ଗୁରୁତ୍ୱ ଦିଆଯାଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ, ଯାହାଦ୍ୱାରା ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ ।
ସେହିପରି ପ୍ରାଥମିକ ସ୍ତରରେ ପିଲାମାନଙ୍କର ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନର ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡ଼ିଶା ଲକ୍ଷ୍ୟ ହାସଲ ଉପରେ ଚର୍ଚ୍ଚା ହୋଇଛି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍-ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟାବହାରିକ ଜ୍ଞାନ ଏବଂ ସମାଲୋଚନାତ୍ମକ ଚିନ୍ତାଧାରା ଶିଖିପାରିବେ । ଜନ୍ମଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଶିକ୍ଷା ନୀତି ଜରିଆରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଏନସିଇଆରଟି, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.