ଅର୍ଗାନାଇଜ ପଦ୍ଧତିରେ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

69

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ପୌରୋହିତ୍ୟରେ ଆଜି ପାଟଣାଗଡ଼ ଏନ୍ଏସି ରାମପୁରସ୍ଥିତ ପାଟଣେଶ୍ଵରୀ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଉପଖଣ୍ଡସ୍ତରୀୟ ତ୍ରିଦିବସୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ବଲପୁର କୃଷି ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ରବିନ୍ଦ୍ର ସିଂ ବରିହା , ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ୍ ମେହେର, ଉପଖଣ୍ଡ କୃଷି ଅଧିକାରୀ ସୁଧାକର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ମେଳାରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ର ପାତି, ଟ୍ରାକ୍ଟର, ପାୱାର ଟିଲର, ଧାନ କଟା ଓ ରୁଆ ଯନ୍ତ୍ର, ଧାନ କଳ, ମଞ୍ଜି ସଫା ଯନ୍ତ୍ର, ରୋଟାଭେଟର, ଘାସ ଛେଦନଯନ୍ତ୍ର, କୋଡାଖୋସା, ଘାସକଟା ଯନ୍ତ୍ର, ଗାତଖୋଳାଯନ୍ତ୍ର, ଅଟା କଳ, ମକାଛଡାଯନ୍ତ୍ର, ଡାଲି କଳ, ତେଲ କଳ, ବିହନ ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ ଯନ୍ତ୍ର ରିହାତି ଦରରେ ବିକ୍ରି ବ୍ୟବସ୍ଥା ସହ ପ୍ରଦର୍ଶନ କରାଯାଇଛି । ଏହାସହ ଅଞ୍ଚଳର ଚାଷୀ ମାନଙ୍କୁ ନେଇ କୃଷି ପାଠଶାଳା ଅନୁଷ୍ଠିତ ହୋଇଥିବାବେଳେ ଏ ନେଇ ୨୫ଟି ଷ୍ଟଲ କରାଯାଇଥିଲା। ସବୁ ବର୍ଗର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବାରୁ ସରକାରୀ ଯୋଜନାର ଲାଭ ଉଠାଇବା ସହ ଅର୍ଗାନାଇଜ ପଦ୍ଧତିରେ ଚାଷ କରିବାକୁ ଚାଷୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ତାଙ୍କ ଅଭିଭାଷଣରେ କହିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି ଭଲ ଫସଲ ଅମଳ କରିପାରିବେ ।

Comments are closed, but trackbacks and pingbacks are open.