ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

91

ସମ୍ବଲପୁର: ସମ୍ବଲପୁର ବାସୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ଆଜି ୨୫ଟି ନୂଆ ଇ-ବସ୍‌ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ। ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା CRUT ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଉଦ୍‌ଘାଟନ କରାଯାଇଛି । ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁରବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ବସ ଗୁଡିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରିବା ସହିତ ଯାତ୍ରୀମାନଙ୍କର ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଡିଜିଟାଲ ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟରେ ରିହାତିର ବ୍ୟବସ୍ଥା ମଧ୍ୟ ଏହି ବସ୍ ରେ କରାଯାଇଛି। ଇ-ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ବସ୍ ଗୁଡିକ ସହାୟକ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ନେଇ ଆମ ସରକାର ସମସ୍ତ ସମ୍ବଲପୁର ସହର ସମେତ ଅନ୍ୟାନ୍ୟ ସହରରେ ଅନୁସାଙ୍ଗିକ ବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛି l ଉକ୍ତ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.