ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

234

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ। ପ୍ରଥମଟି ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ଯର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଦ୍ଵିତୀୟଟି ତାଙ୍କ ନେତୃତ୍ୱର ଦିଗ । ଧୈର୍ଯ୍ୟ, ଯଥାର୍ଥ ସାଙ୍ଗଠନିକ ଦକ୍ଷତା, ନିଷ୍ଠା ବଳରେ, ନିଜର ଜନସେବକ ଭୂମିକାକୁ ଅବ୍ୟାହତ ରଖିପାରିଲେ ଜଣେ ନେତୃତ୍ୱକୁ ଦୀର୍ଘଜୀବୀ କରିପାରିବ ବୋଲି ସେ ପ୍ରମାଣ କରିଛନ୍ତି। ତାଙ୍କର ସ୍ଥିତପ୍ରଜ୍ଞ ଗୁଣ ତାଙ୍କୁ ରାଜନୀତିରେ ଜଣେ ଧୂରନ୍ଧର ବ୍ୟକ୍ତିତ୍ବଭାବେ ପ୍ରତିଷ୍ଠା ପ୍ରଦାନ କରିଥିଲା। ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ପ୍ରତିଷ୍ଠିତ ରାଜନେତା, କୃତବିଦ୍ୟ ସାମ୍ବାଦିକ ଓ ସମ୍ପାଦକ, ସାରସ୍ଵତ ସାଧକ, ଅନୁବାଦକ ଏବଂ ପ୍ରସିଦ୍ଧ ପ୍ରାଚ୍ୟ-ବିଦ୍ୟା ବିଶାରଦ । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଉପରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜାନକୀ ବାବୁଙ୍କ ରାଜନୈତିକ ଜୀବନ ଥିଲା ଘଟଣାବହୁଳ। ୧୯୭୧ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଜାନକୀ ବାବୁଙ୍କ ରାଜନୈତିକ ଇଂନିଙ୍ଗସ ଥିଲା ଉଲ୍ଲେଖନୀୟ। ସେ କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ଆମ ଓଡ଼ିଶାର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିରୋଧୀ ଦଳ ନେତା ଭାବରେ ପ୍ରଭାବୀ କାର୍ଯ୍ୟ କରିଛନ୍ତି। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଆସାମ ପ୍ରଦେଶର ରାଜ୍ୟପାଳ ଭାବରେ ଦାୟିତ୍ୱ ନେଇଛନ୍ତି। ଛାତ୍ର ରାଜନୀତିରେ ମଧ୍ୟ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.