ଆଜିଠାରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପହିଲିଭୋଗ ଆରମ୍ଭ

129

ଭୁବନେଶ୍ୱର : ଆଜି ହେଉଛି ଧନୁ ସଂକ୍ରାନ୍ତି। ଏହି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ। ଏହି ସମୟରେ ପ୍ରତ୍ୟେହ ସକାଳ ଧୂପରେ ଶ୍ରୀଜିଉଙ୍କ ଠାରେ ଲାଗି ହେବ ପହିଲି ଭୋଗ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଗଇଁଠା ଆଉ ମୁଆଁ ସହିତ ଅନ୍ନ, ଡାଲି, ବେସର, ଶାଗ, ମହୁର, ଖଟା ବ୍ୟଞ୍ଜନରେ ଶ୍ରୀଜୀଉ ଆପ୍ୟାୟିତ ହେବେ। ଏ ନେଇ ମନ୍ଦିର ପ୍ରଶାସନ ତରଫରୁ ମାସକ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ କରାଯାଇ ସେବାୟତ ମାନଙ୍କୁ ଅବଗତ କରାଯାଇଛି। ନିର୍ଦ୍ଧାରିତ ନିର୍ଘଣ୍ଟ ମୁତାବକ, ଭୋର ୫ଟାରେ ମଙ୍ଗଳ ଆଳତି, ସାଢେ ୫ଟାରେ ରୋଷହୋମ ଓ ୬ଟାରେ ମହାସ୍ନାନ ନୀତି ସମ୍ପନ୍ନ ହେବ। ସକାଳ ୭ଟା ସୁଦ୍ଧା ଦିଅଁଙ୍କ ସକାଳଧୂପ ନୀତି ସମାପନ ହେବ। ଏହା ପରେ ୯ଟାରେ ଭୋଗ ମଣ୍ଡପ ନୀତି ଶେଷ ହୋଇ ଅପରାହ୍ନ ୨ଟା ଯାଏ ସହାଣମେଲା ଦର୍ଶନ ନିମନ୍ତେ ଅନୁମତି ଦିଆଯିବ। ସାଢେ ୨ଟାରେ ବେଶ, ୩ଟାରେ ବୀରକେଶରୀ ବଲ୍ଲଭ, ୪ଟାରେ ଦ୍ବିପହର ଧୂପ ସମ୍ପନ୍ନ ହୋଇ ୫ଟା ପର୍ଯ୍ୟନ୍ତ ପହୁଡ ପଡିବ । ସନ୍ଧ୍ୟା ୫ଟାରେ ଉତ୍ଥାପନ ଆଳତି ଓ ସାଢ଼େ ୫ଟାରେ ଟେରାଫିଟା । ପୁଣି ଦ୍ବିତୀୟ ପର୍ଯ୍ୟାୟରେ ସାଢେ ୫ଟାରୁ ୬ଟା ପର୍ଯ୍ୟନ୍ତ ଅଧ ଘଣ୍ଟାଏ ଲାଗି ଶ୍ରଦ୍ଧାଳୁ କରିପାରିବେ ସାହାଣମେଲା ଦର୍ଶନ। ଏହାପରେ ୬.୩୦ରେ ସନ୍ଧ୍ୟାଧୂପ ଅନୁ୍ଷ୍ଠିତ ହେବ। ସମରୂପେ ଦେବୀ ଭୁବନେଶ୍ବରୀଙ୍କ ପୀଠରେ ମହାପ୍ରଭୁଙ୍କ ନୀତି ସହ ଠାକୁରାଣୀ ବଲ୍ଲଭ, ସକାଳଧୂପ, ଦ୍ଵିପ୍ରହର ଧୂପ ଓ ସନ୍ଧ୍ୟାଧୂପ ନୀତି ଅନୁଷ୍ଠିତ ହେବ। ୭-୭.୩୦ ସୁଦ୍ଧା ମହାପ୍ରଭୁଙ୍କ ବଡ଼ସିଂହାର ନୀତି ହୋଇ ଦେଉଳ ସଅଳ ପହଡ଼ ହେବ।

Comments are closed, but trackbacks and pingbacks are open.