ଭୁବନେଶ୍ୱର : ଚିକିତ୍ସା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସର ଅଭୂତପୂର୍ବ ସଫଳତା ହାସଲ କରିଛି। ଦୀର୍ଘ ୨ ଦଶନ୍ଧି ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡିତ ଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଅସ୍ତ୍ରାେପଚାର ସଫଳ ହୋଇଛି । ଜୀବନ ସହ ସଂଘର୍ଷ କରି ଶେଷରେ ନୂଆ ଜୀବନ ପାଇଛନ୍ତି ବିଶ୍ଵଭୂଷଣ । ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ ସ୍ୱାଭାବିକ ହୋଇଛି ଜୀବନ । ତାଙ୍କ ପରିବାରକୁ ଦେଇଛି ଅସରନ୍ତି ଖୁସି । ବିଶ୍ଵଭୂଷଣ ରାଉତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ୧୭ ବର୍ଷ ବୟସରୁ ସେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶି ଯାଇଥିଲା। ତାଙ୍କ ଶରୀର ୧୫୦ ଡିଗ୍ରୀ ବାଙ୍କି ଯାଇଥିବାରୁ ମୁହଁ ପ୍ରାୟ ଜଙ୍ଘକୁ ଛୁଇଁଲା ଭଳି ହୋଇଯାଇଥିଲା। ଫଳରେ ସେ ଚାଲିବା, ବସିବା ଏବଂ ଶୋଇବାରେ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିଲେ। ଅନେକ ହସ୍ପିଟାଲ ଏହି ଜଟିଳ ମାମଲାକୁ ଗ୍ରହଣ କରିପାରିନଥିଲେ । ୨୦ ବର୍ଷ ଧରି ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା। ଅତ୍ୟନ୍ତ ଜଟିଳ ଅବସ୍ଥା ଏବଂ ଅପ୍ରତ୍ୟାଶିତ ଅସ୍ତ୍ରୋପଚାର ବିପଦ କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କ କେସ୍ ଗ୍ରହଣ କରିପାରି ନ ଥିଲେ। ତାଙ୍କର ଆର୍ଥିକ ସଙ୍କଟ ଉଚ୍ଚମାନର ଘରୋଇ ସ୍ୱାସ୍ଥ୍ୟସେବା ପାଇବାକୁ ବାଧା ସୃଷ୍ଟି କରିଥିଲା। ତେବେ ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ସ ବିଭାଗ ଓପିଡିକୁ ଏକ ଆଶା ନେଇ ସେ ଆସିଥିଲେ। ସେଠାରେ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ବିଶ୍ବଭୂଷଣଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କଲେ। ଡ. ନେରାଡି ଏବଂ ଡ. ଗୁରୁଦୀପ ଦାସ ନ୍ୟୁରୋମନିଟରିଂ, ବୋନ୍ ସ୍କେଲପେଲ୍, ହାଇ-ସ୍ପିଡ୍ ବର୍ ଏବଂ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଭଳି ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ରୋଗୀଙ୍କୁ ଭେଟି ବିଭାଗ ଏବଂ ପ୍ରକ୍ରିୟାରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ୩ଟି ଅସ୍ତ୍ରୋପଚାର ପରେ ଯୁବକ ଜଣଙ୍କ ସ୍ବାଭାବିକ ଭାବେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି, ଚାଲିପାରୁଛନ୍ତି, ଏବଂ ସିଧା ଆଗକୁ ଚାହିଁ ମଧ୍ୟ ପାରୁଛନ୍ତି। ଏହା ତାଙ୍କ ଜୀବନର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତାରେ ଏକ ନାଟକୀୟ ଉନ୍ନତି ଆଣିଛି । ବେସରକାରୀ ହସ୍ପିଟାଲରେ ୨୫ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଏହି ଚିକିତ୍ସା ଶ୍ରୀ ରାଉତଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣାରେ ମିଳିଛି।
Comments are closed, but trackbacks and pingbacks are open.