ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀର ବୀରହରେକୃଷ୍ଣପୁର ଶାସନରେ ୧୭୩୯ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଅଁଳା ନବମୀ ତିଥିରେ ପିତା ଚାନ୍ଦ ରାଜଗୁରୁ ଏବଂ ମାତା ହାରାମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ ଜୟୀ ରାଜଗୁରୁ । ହରେକୃଷ୍ଣପୁର ଶାସନର ପ୍ରଥମ ଦାନଧ୍ୟକ୍ଷ ଥିବା ଗଦାଧର ରାଜଗୁରୁଙ୍କ ଦାୟାଦ ଶ୍ରୀ ଜୟୀ ରାଜଗୁରୁ କେବଳ ରାଜ ପୁରୋହିତ ନ ଥିଲେ, ଜ୍ଞାନୀ, ଗୁଣୀ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ଏବଂ ଶାସ୍ତ୍ର ବିଶାରଦ ଭାବେ ସେ ଥିଲେ ପରିଚିତ । ଜୟୀ ରାଜଗୁରୁ ବୀର ପାଇକ ଜାତି ଭିତରେ ଦେଶପ୍ରେମର ଭାବନା ଉଦ୍ରେକ କରି ନିଜ ଅଞ୍ଚଳର ସୁରକ୍ଷା ପାଇଁ ଇଂରେଜମାନଙ୍କ ବିରୋଧରେ ଶସ୍ତ୍ର ଉଠାଇବା ପାଇଁ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ଆଜି ବି ଇତିହାସରେ ସ୍ୱର୍ଣ୍ଣାଧରରେ ଲିପିବଦ୍ଧ ହୋଇରହିଛି । ଜୟୀ ରାଜଗୁରୁଙ୍କ ସାଧୁତା, ଦେଶପ୍ରେମ, ସଚ୍ଚୋଟତା ଏବଂ ବୀରତ୍ୱ ଆଜି ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଆଜି ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧଦିବସ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ଜଙ୍ଗଲ, ପରିବେଶ ଓ ଜୟବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର୍ ସିଂ ଓ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାଶ୍ୱର୍ବର୍ତ୍ତୀ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣପୂର୍ବକ ସ୍ମୃତିଚାରଣ କରିଥିଲେ ।ଏଥି ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏଜି ଛକସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା ।
Comments are closed, but trackbacks and pingbacks are open.