ବିମାନ ବାତିଲ୍ ଯୋଗୁଁ ଓଡ଼ିଶାର ନବ ବିବାହିତ ଦମ୍ପତି ଅନଲାଇନ ଯୋଗେ ରିସେପ୍ସନରେ ହେଲେ ସାମିଲ

204

ଭୁବନେଶ୍ୱର: ଇଣ୍ଡିଗୋ ବିମାନ ବାତିଲ ପାଇଁ ନବ ବିବାହିତ ଦମ୍ପତି ହଟହଟା ହୋଇଛନ୍ତି। ଏହା ସହିତ ଇଣ୍ଡିଗୋ କର୍ମଚାରୀମାନେ ପ୍ରତିଦିନ କୌଣସି ନ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାନ୍ତ୍ରିକ ତ୍ରୁଟି ଏବଂ କର୍ମଚାରୀ ଅଭାବ ଯୋଗୁଁ ବିମାନ ସେବାରେ ସମସ୍ୟା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ ବିବାହିତ ଦମ୍ପତି ହୁବଳିରେ ନିଜ ରିସେପ୍ସନ୍‌ରେ ପହଞ୍ଚି ନପାରି ଶେଷରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।
ସୂଚନା ମୁତାବିକ, ଭୁବନେଶ୍ୱରର ସଙ୍ଗମା ଦାସ ଏବଂ ହୁବଲିର ମେଧା କ୍ଷୀରସାଗର ନଭେମ୍ବର ୨୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁହେଁ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟୱେର୍ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ବିବାହ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ବେଳେ ମେଧାଙ୍କ ପରିବାର ଡିସେମ୍ବର ୩ ତାରିଖରେ ହୁବଲିର ଗୁଜରାଟ ଭବନରେ ଏକ ରିସେପସନ୍ ପାର୍ଟିର ଯୋଜନା କରିଥିଲେ। ମଙ୍ଗଳବାର ପାଇଁ ଏହି ଦମ୍ପତି ଭୁବନେଶ୍ୱରରୁ ବେଙ୍ଗାଲୁରୁ ଏବଂ ତା’ପର ଦିନ ସକାଳେ ବିମାନ ଟିକେଟ ବୁକ୍ କରିଥିଲେ। କିନ୍ତୁ, ମଙ୍ଗଳବାର ସକାଳ ୯ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ସେମାନଙ୍କର ବିମାନ ବାରମ୍ବାର ବିଳମ୍ବ ହେବା ପରେ ସେମାନେ ଫସି ଯାଇଥିଲେ। ଶେଷରେ ଡିସେମ୍ବର ୩ ତାରିଖରେ ମଧ୍ୟ ବିମାନ ବାତିଲ କରାଯାଇଥିଲା। ଭୁବନେଶ୍ୱରରୁ ମୁମ୍ବାଇ ଏବଂ ତା’ପରେ ହୁବଲିକୁ ଟିକେଟ୍ କାଟିଥିବା ଅନେକ ସମ୍ପର୍କୀୟ ମଧ୍ୟ ହଟହଟା ହୋଇଥିଲେ। ତେବେ ଉକ୍ତ ପାର୍ଟିକୁ ନବବିବାହିତ ଦମ୍ପତି ଯାଇ ନପାରିବାରୁ ଶେଷରେ କନ୍ୟାର ପିତାମାତା ଦମ୍ପତିଙ୍କ ପାଇଁ ସଂରକ୍ଷିତ ଆସନରେ ବସି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ। ପରେ ବର ଏବଂ କନ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଅତିଥି ମାନେ ମଣ୍ଡପରେ ପହଞ୍ଚି ବର ଓ କନ୍ୟାକୁ ଆଶୀର୍ବାଦ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Comments are closed, but trackbacks and pingbacks are open.