ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ସୂର୍ଯ୍ୟ ମନ୍ଦିରର ମନୋରମ ପୃଷ୍ଠଭୂମିରେ ଏକ ଭବ୍ୟ ସାଂସ୍କୃତିକ ପ୍ରଦର୍ଶନ ସହିତ 36 ତମ କୋଣାର୍କ ଉତ୍ସବ ଆରମ୍ଭ ହୋଇଛି। ଖୋଲା ଆକାଶ ତଳେ ସନ୍ଧ୍ୟା ହେବା ମାତ୍ରେ, ଏହି ପାଞ୍ଚ ଦିନିଆ ମହୋତ୍ସବ ଆଲୋକ, ରଙ୍ଗ ଏବଂ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ସହିତ ଜୀବନ୍ତ ହୋଇ ଉଠିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଏବଂ ତୁଷାରକାନ୍ତି ବେହେରା, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ଉପାସନା ମହାପାତ୍ର ଏବଂ ସୁନୀଲ କୁମାର ମହାନ୍ତିଙ୍କ ସମେତ ବିଶିଷ୍ଠ ବ୍ୟକ୍ତିମାନେ ଆନୁଷ୍ଠାନିକ ଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବର ଉଦଘାଟନ କରିଥିଲେ।ଉଦଘାଟନୀ ସନ୍ଧ୍ୟାରେ ମନମୋହକ ଓଡ଼ିଶୀ ପ୍ରଦର୍ଶନ ପ୍ରଦର୍ଶିତ ହୋଇଥିଲା। ସୋନାଲି ମହାପାତ୍ର ଏବଂ ଭୁବନେଶ୍ୱରର ନୃତ୍ୟ ଉପାସନା ପିଠାର କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ। ସେମାନେ ହନୁମାନ ଚାଳିଶା ନୃତ୍ୟାଭିନୟରୁ ଆରମ୍ଭ କରିଥିଲେ ନୃତ୍ୟ। ତା’ପରେ ସାରଙ୍ଗ ପଲ୍ଲବୀ ଏବଂ ଚାରି ଯୁଗ ଦେବୀ ପରିବେଷଣ କରିଥିଲେ। ସଙ୍ଗୀତ ରଚନା ଗୁରୁ ଅଭିରାମ ନନ୍ଦ ଏବଂ ନିର୍ମଳ କୁମାର ମହାପାତ୍ରଙ୍କ ଦ୍ୱାରା କରାଯାଇଥିଲା। ନୃତ୍ୟଶିଳ୍ପୀ ଏବଂ ସଂଗୀତଜ୍ଞମାନଙ୍କର ସହାୟକ ଦଳ କଣ୍ଠ, ମର୍ଦ୍ଦଳ, ବଂଶୀ, ମଞ୍ଜିରା, ଭାୟୋଲିନ୍, ତବଲା ଏବଂ ସୀତାର ସହିତ ପ୍ରଦର୍ଶନକୁ ସମୃଦ୍ଧ କରିଥିଲେ। ଏହାପରେ ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତଙ୍କ ନେତୃତ୍ୱରେ ହାଇଦ୍ରାବାଦର ଶଙ୍କରାନନ୍ଦ କଳାକ୍ଷେତ୍ର ପ୍ରତିଷ୍ଠାନର କଳାକାରମାନେ ଦଶାବତାରମ୍, ଦେବୀ ଉପାସକମ୍ ଏବଂ ଅର୍ଘ୍ୟ ଶିବୋହମ୍ ସମେତ ମନୋରମ ଭାରତନାଟ୍ୟମ୍ ଖଣ୍ଡଗୁଡ଼ିକ ଉପସ୍ଥାପନ କରିଥିଲେ। ଭାରତନାଟ୍ୟମ ଶିଳ୍ପୀଙ୍କ ଏହି ରଂଗାରଗ ପ୍ରଦର୍ଶନ ଶୀତୁଆ ପରିବେଷକୁ ବେଶ ମନୋରମ କରିପାରିଥିଲା। ଆଙ୍କର ଡକ୍ଟର ମୃତ୍ୟୁଞ୍ଜୟ ରଥ ଏବଂ ଡକ୍ଟର ନାଜିଆ ଆଲମ୍ ସନ୍ଧ୍ୟାକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।
Comments are closed, but trackbacks and pingbacks are open.