ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ, ଭାରତ ପ୍ରଭାବିତ

114

ନୂଆଦିଲ୍ଲୀ: ଇଥିଓପିଆ ଦେଶରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଜାରି ରହିଛି। ଏହା ଦ୍ବାରା କେବଳ ଇଥିଓପିଆ ନୁହେଁ, ଅନ୍ୟାନ୍ୟ ଦେଶ ପ୍ରଭାବିତ ହେଉଛି। ଏଥି ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚିଛି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ଭାରତୀୟ ଏୟାରଲାଇନ୍ସ ଓ ବିମାନବନ୍ଦର ନିମନ୍ତେ ଆଡଭାଇଜରି ଜାରି କରିଥିଲା। ଇଥିଓପିଆର ହେଲି ଗୁବ୍ବି ଆଗ୍ନେୟଗିରିରୁ ୧୨,୦୦୦ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାର ଲାଭା ଉଦ୍‌ଗିରଣ ହୋଇଥିଲା। ଏହାର ବହଳ ପାଉଁଶ ବାଦଲ ଲୋହିତସାଗର ଅତିକ୍ରମକରି ଉତ୍ତର ଆରବ ସାଗର ଉପରେ ମାଡ଼ିଯିବା ସହ ରାଜସ୍ଥାନ,ହରିୟାଣା, ଗୁଜରାଟ ଓ ଦିଲ୍ଲୀ ଆକାଶରେ ଛାଇଗଲାଣି। ଏହାର ପ୍ରଭାବରେ ଦିଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳର ବାୟୁ ଆହୁରି ପ୍ରଦୂଷିତ ହୋଇପାରେ ବୋଲି ଆଶଙ୍କା କରାଯାଉଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆକାଶ ଏୟାର, ଇଣ୍ଡିଗୋ ଏବଂ କେଏଲ୍‌ଏମ୍‌ ଆଦି ଏୟାରଲାଇନ୍ସ କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଛନ୍ତି। ତେବେ ଏହି ଲାଭା ପାଉଁଶ ମଙ୍ଗଳବାର ରାତି ସୁଦ୍ଧା ଭାରତରୁ ଚାଇନାକୁ ପଳାଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏଥିସହିତ ପାଉଁଶ ବାଦଲ ବହୁ ଉଚ୍ଚରେ ରହିଥିବାରୁ ଏହା ବାୟୁ ପ୍ରଦୂଷଣ ବଢ଼ାଇବ ନାହିଁ ବୋଲି କୁହାଯାଇଛି। ଗୁଜରାଟ, ଦିଲ୍ଲୀ-ଏନ୍‌ସିଆର୍‌, ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ଆକାଶରେ ମଙ୍ଗଳବାର ପାଉଁଶର ଆସ୍ତରଣ ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ ମଡେଲରୁ ସୂଚନା ମିଳିଛି। ତେବେ ଏହା ଭାରତୀୟ ଆକାଶରୁ ମଙ୍ଗଳବାର ରାତି ୭ଟା ୩୦ ସୁଦ୍ଧା ଚାଇନାକୁ ଚାଲିଯିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଇଥିଓପିଆର ଆଫର ଅଞ୍ଚଳରେ ଥିବା ହେଲି ଗୁବ୍ବି ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ବାଦଲ ପ୍ରାୟ ୧୪ କିଲୋମିଟର ଉଚ୍ଚକୁ ଉଠିଥିଲା। ପବନ ଯୋଗୁ ଏହା କ୍ରମେ ଲୋହିତ ସାଗର, ୟେମେନ, ଓମାନ ଏବଂ ଆରବ ସାଗର ଅତିକ୍ରମ କରି ଭାରତର ପଶ୍ଚିମ ଓ ଉତ୍ତର ଭାଗକୁ ବ୍ୟାପିଯାଇଛି। ପାଣିପାଗ ବିଭାଗ ଏହା ଉପରେ ନଜର ରଖିଥିବା ଆଇଏମ୍‌ଡି ଡିଜି କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ପାଉଁଶ ଯୋଗୁ କେତେକ ବିମାନକୁ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକର ଉଡ଼ାଣ ବିଳମ୍ବିତ ହୋଇଛି। ତେବେ ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ। ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପାଇଲଟ୍‌ମାନଙ୍କୁ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ନୋଟିସ ଜାରି କରିଥିଲା। ଅଳ୍ପ କେତେକ ବିମାନକୁ ଭିନ୍ନ ରୁଟ୍‌ରେ ଉଡ଼ାଣ ଅନୁମତି ଦିଆଯାଇଥିବାବେଳେ କେତେକକୁ କମ୍‌ ଉଚ୍ଚତାରେ ଉଡ଼ିବା ପାଇଁ ପରାମର୍ଶ ଦିଆଯାଇଥିବା ମନ୍ତ୍ରଣାଳୟ କହିଛି। ସୋମବାରଠାରୁ ଏୟାର ଇଣ୍ଡିଆ ୧୩ଟି ବିମାନ ଉଡ଼ାଣ ବାତିଲ ଘୋଷଣା କରିଥିଲା।

Comments are closed, but trackbacks and pingbacks are open.