ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

220

ଭୁବନେଶ୍ୱର: ବିଶ୍ୱ ଶାନ୍ତି, ପରମାଣୁ ନିରସ୍ତ୍ରୀକରଣ ଓ ଆଇନର ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ସଭାପତି ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗ୍ରାନଫ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଇନଜ୍ଞ ଏବଂ ସେ ଦୀର୍ଘ ଦଶନ୍ଧୀ ଧରି ପରମାଣୁ ନିରସ୍ତ୍ରୀକରଣ ସପକ୍ଷରେ ବିଶ୍ୱବ୍ୟାପୀ ଅଭିଯାନ ଚଳାଇ ଆସୁଛନ୍ତି। ଏନେଇ ସେ ଆମେରିକା ସଂସଦ, ବ୍ରିଟେନ ସଂସଦ ଓ କାନାଡ଼ା ସଂସଦରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ଗ୍ରାନଫ୍‍ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ବିଶ୍ୱ ସମ୍ମିଳନୀର ବରିଷ୍ଠ ପରାମର୍ଶଦାତା ଭାବେ କାମ କରିବା ସହ ଅନେକ ଆନ୍ତର୍ଜାତିକ ବୋର୍ଡରେ ବିଭିନ୍ନ ପଦବୀରେ ରହିଛନ୍ତି। ଆଇନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଆମେରିକା ବାର୍‍ ଆସୋସିଏସନ୍‍ ୨୦୨୦ରେ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ସମ୍ମାନ ଗ୍ରହଣ କରି ଗ୍ରାନଫ୍‍ କିସ୍‍ର ଉଚ୍ଚ ପ୍ରଶଂସା କରିଥିଲେ। ଗ୍ରାନଫ୍‍ ତାଙ୍କ ଭାଷଣରେ ଅଚ୍ୟୁତ ସାମନ୍ତଙ୍କ ପରିଚାଳିତ ଆର୍ଟ ଅଫ୍‍ ଗିଭିଂ ସମ୍ପର୍କରେ ଉଲ୍ଲେଖ କରି କହିଲେ, ଏହା ହେଉଛି ଦୟା ଓ ପ୍ରେମର ଏକ ଆନ୍ଦୋଳନ। ଆର୍ଟ ଅଫ୍‍ ଗିଭିଂ ଜୀବନ ସହିତ ଜ୍ଞାନର ବିକଶିତ କରିଥାଏ। ଗ୍ରାନଫ୍‍ ଏକବିଂଶ ଶତାବ୍ଦୀର ଆହ୍ୱାନ ଭାବେ ଜଳବାୟୁ ସଙ୍କଟ, ପରିବେଶ ଅବକ୍ଷୟ ଓ ଗଣବିନାଶର ଅସ୍ତ୍ର ଉପରେ ରୋକ ଲଗାଇବା ନେଇ ଗୁରୁତ୍ୱାରୋପ କରିଥିଲେ। ଗ୍ରାନଫ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରି କିସ୍‍ ନିଜକୁ ଧନ୍ୟ ମନେ କରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କିଟ୍‍ ଓ କିସ୍‍ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.