ନୂଆଦିଲ୍ଲୀ: ଭାରତରେ ଜଳ ଜୀବନ ମିଶନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅଧୀନରେ 81 ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ଜଳ ଯୋଗାଣ କରାଯାଇଛି। 22 ଅକ୍ଟୋବର 2025 ସୁଦ୍ଧା 15.72 କୋଟିରୁ ଅଧିକ ଗ୍ରାମୀଣ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି। କେନ୍ଦ୍ର ସରକାର ଏହି ମିଶନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ କେନ୍ଦ୍ରୀୟ ଅନୁଦାନ ଆକାରରେ 2,08,652 କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 15 ଅଗଷ୍ଟ 2019ରେ ଏହି ମିଶନର ଶୁଭାରମ୍ଭ କରିଥିଲେ। ସେତେବେଳେ ମାତ୍ର 3.23 କୋଟି ପରିବାର ଅର୍ଥାତ୍ 16.71 ପ୍ରତିଶତ ଲୋକଙ୍କ ପାଖରେ ନଳ ଯୋଗେ ଜଳ ଯୋଗାଣ ସୁବିଧା ଥିଲା। ବର୍ତ୍ତମାନ ସୁଦ୍ଧା 12.48 କୋଟି ଅତିରିକ୍ତ ପରିବାରକୁ ଟ୍ୟାପ ପାଣି ସଂଯୋଗ ମିଳିଛି। ଏହି ମିଶନ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ପାଣି ଆଣିବା ଲାଗି ମହିଳାମାନଙ୍କୁ କରିବାକୁ ପଡ଼ୁଥିବା କଠିନ ପରିଶ୍ରମରୁ ମୁକ୍ତି ମିଳିଛି। ଏବେ ସୁଦ୍ଧା ମିଶନରେ 192ଟି ଜିଲ୍ଲାର ସବୁ ଘର, ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଟ୍ୟାପ୍ ଜଳ ଯୋଗାଣ କରାଯାଇଛି। 11ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଶତପ୍ରତିଶତ ଟ୍ୟାପ୍ ପାଣି ସଂଯୋଗ ଲକ୍ଷ୍ୟ ହାସଲ କରିଛନ୍ତି। ଦେଶର 9 ଲକ୍ଷରୁ ଅଧିକ ବିଦ୍ୟାଳୟ ଏବଂ ସାଢ଼ 9 ଲକ୍ଷରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରକୁ ନଳ ଯୋଗେ ଜଳ ଯୋଗାଣ କରାଯାଇଛି। 2025-26 (ଅକ୍ଟୋବର 21 ତାରିଖ ସୁଦ୍ଧା) ବର୍ଷରେ ମୋଟ୍ 2843ଟି ପରୀକ୍ଷାଗାରରେ 38.78 ଲକ୍ଷ ଜଳ ନମୁନା ପରୀକ୍ଷା କରାଯାଇଛି। ଏହା ମାଧ୍ୟମରେ ଜଳର ଗୁଣବତ୍ତା ଏବଂ ନିରୀକ୍ଷଣ ସୁନିଶ୍ଚିତ କରାଯାଇଛି। ଏହି ମିଶନରେ ଜନଭାଗିଦାରୀ ସୁନିଶ୍ଚିତ କରିବା ଲାଗି 5.07 ଲକ୍ଷ ଗାଁରେ 24.80 ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍ (ଏଫଟିକେ) ଯୋଗାଇ ଦିଆଯାଇଛି। ସେମାନେ ଜଳ ନମୁନା ପରୀକ୍ଷା କରି ଗୁଣବତ୍ତା ପ୍ରମାଣିତ କରୁଛନ୍ତି।
Comments are closed, but trackbacks and pingbacks are open.