ଵିହାର ନିର୍ବାଚନ ସମୟରେ ହେବ ନୂଆପଡା ଉପ ନିର୍ବାଚନ,ଖୁବ ଶୀଘ୍ର ତାରିଖ ଘୋଷଣା

171

ଭୁବନେଶ୍ୱର : ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି ଓଡ଼ିଶାର ନୂଆପଡ଼ା ଆସନ । ନୂଆପଡାରେ ବିଜେଡି ବିଧାୟକ ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡିଛି ନୂଆପଡା ଆସନ ।

ନୂଆପଡ଼ା ଦଖଲ ପାଇଁ ଆରମ୍ଭ ହୋଇଛି କସରତ । ଅକ୍ଟୋବର ୬ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କିନ୍ତୁ ତା’ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ସପକ୍ଷରେ ମତଦାନ ପାଇଁ ଦାବି କରିଛନ୍ତି ।

ଶାସକ ଦଳ ବିଜେପି ଉପନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଆମେ ନିଶ୍ଚୟ ଜିତିବୁ, ଯଶସ୍ୱୀ ହେବୁ । ଆମେ ଜିତିବା ପାଇଁ ଲୋକମାନେ ଚାହୁଛନ୍ତି । ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି । ବିଜେପି ଜିତିଲେ ସେ ଅଞ୍ଚଳର ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ ବୋଲି ମନମୋହନ କହିଛନ୍ତି । ଉପନିର୍ବାଚନ ପାଇଁ ବିଜେପିର ସଂସଦୀୟ ଦଳ କମିଟି ପ୍ରାର୍ଥୀ ଚୟନ କରିବେ ବୋଲି ସେ କହିଛନ୍ତି ।

ସେହିପରି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ନୂଆପଡ଼ାରେ ବିଜେପି ଜିତିବା ଦିବାସ୍ବପ୍ନ । ଘାସିରାମ ମାଝୀ ନୂଆପଡା ମାଟିର ପୁଅ । ମାଟିର ମଣିଷ ଘାସିରାମ ମାଝୀ ହିଁ ଜିତିବେ ନୂଆପଡ଼ା ଉପନିର୍ବାଚନ । ଖୁବଶୀଘ୍ର କଂଗ୍ରେସରେ ଅନେକ ଲୋକ ଯୋଗ ଦେବେ ।

ଅନ୍ୟପଟେ ବିହାର ବିଧାନସଭା ସାଧାରଣ ନିର୍ବାଚନ ସମୟରେ ଏବଂ ଜମ୍ମୁ କଶ୍ମୀରର ବୁଡଗାମ୍ ଏବଂ ନଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘାଟଶିଲା, ତେଲଙ୍ଗାନାର ଜୁବଲିହିଲ୍ସ, ପଞ୍ଜାବର ତରଣ ତାରଣ, ମିଜୋରାମର ଡାମ୍ପା, ଓଡ଼ିଶାର ନୂଆପଡାରେ ହେବ ଉପନିର୍ବାଚନ । ଉପ ନିର୍ବାଚନ ପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ । ୩୨୦ ଜଣ IAS, ୬୦ ଜଣ IPS ଏବଂ ୯୦ ଜଣ IRS/IRAS/ICAS ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀ ନିୟୋଜିତ ରହିବେ ।

Comments are closed, but trackbacks and pingbacks are open.