ପଣ୍ଡିତ ଦୀନଦୟାଲ ଭାରତୀୟ ରାଜନୀତିକୁ ନୂଆ ଦିଗଦର୍ଶନ ଦେଇଥିଲେ – ଧର୍ମେନ୍ଦ୍ର ପ୍ରଧାନ

88

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୫ – ମହାନ ବିଚାରକ, ‘ଏକାତ୍ମ ମାନବବାଦ’ର ପ୍ରଣେତା ତଥା ଜନସଂଘର ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଭାରତୀୟ ରାଜନୀତିକୁ ନୂଆ ଦିଗଦର୍ଶନ ଦେଇଥିଲେ ବୋଲି ଗୁରୁବାର ତାଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ ଦୀନଦୟାଲ ଉପାଧ୍ୟାୟ ପାର୍କ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ  ଆତ୍ମା ରାମ ସନାତନ ଧର୍ମ କଲେଜରେ ‘ସେବା ପକ୍ଷ’ ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇ ସଫେଇ କାର୍ଯ୍ୟ କରିଥିଲେ । ସେ କହିଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାମାନଙ୍କ ମାର୍ଗଦର୍ଶକ ଓ ପ୍ରେରଣାରଉତ୍ସ । ଏକାତ୍ମ ମାନବବାଦ ଏବଂ ଅନ୍ତ୍ୟୋଦୟ ଭଳି ପ୍ରଗତିଶୀଳ ଚିନ୍ତାଧାରା ମାଧ୍ୟମରେ ଭାରତୀୟ ରାଜନୀତିକୁ ସେ ନୂତନ ଦିଗଦର୍ଶନ ଦେଇଛନ୍ତି । ସେ ବିଶ୍ୱାସ କରୁଥିଲେ ଯେ ସମାଜର ଉନ୍ନତି ସେତେବେଳେ ସମ୍ଭବ ହେବ,  ଯେତେବେଳେ ବିକାଶ ଏବଂ କଲ୍ୟାଣ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚିବ । ଭାରତୀୟ ରାଜନୀତି ଏବଂ ସମାଜ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ ରହିବ । ତାଙ୍କର ଦୃଷ୍ଟିକୋଣ ସର୍ବଦା ମାନବ ସମାଜକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରେରଣା ଦେବ ।

ଆତ୍ମା ରାମ ସନାତନ ଧର୍ମ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱଚ୍ଛତା ଅଭିଯାନକୁ ଦୋହରାଇଥିଲେ ଶ୍ରୀ ପ୍ରଧାନ । ଛାତ୍ରଛାତ୍ରୀମାନଙ୍କୁ ପ୍ରତି ସପ୍ତାହରେ ଅତି କମରେ ଗୋଟିଏ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟରେ ଯୋଗଦାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଭୋକାଲ ଫର୍ ଲୋକାଲର ଆହ୍ୱାନ କ୍ରମେ ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ 

Comments are closed, but trackbacks and pingbacks are open.