୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକ

222

ଲାଟିନ ଆମେରିକା ଏବଂ କାରିବିଆନ୍ ଦେଶଗୁଡିକର ପ୍ରତିନିଧିତ୍ୱ କରୁଥିବା ଦଶ ଜଣ ରାଷ୍ଟ୍ରଦୂତ ଆଜି କିଟ୍ ଏବଂ କିସ ପରିଦର୍ଶନ କରିବା ସହ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଗୋଲ ଟେବଲ ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ। ପେରୁ, ଆର୍ଜେଣ୍ଟିନା, ଉରୁଗୁଏ, ପାରାଗୁଏ, ସୁରିନାମ, ଚିଲି, ଜାମାଇକା, ବଲିଭିଆ, ଗୁଆଟେମାଲା ଏବଂ କଲମ୍ବିଆ ଆଦି ଦେଶର ରାଷ୍ଟ୍ରଦୂତମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସେମାନେ କିଟ ଓ କିସ ପରିଦର୍ଶନ କରି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି କହିଲେ ଶ୍ରୀ ସାମନ୍ତଙ୍କ ପ୍ରୟାସ ଯୋଗୁଁ ଆଜି କିଟ ଓ କିସ ବିଶ୍ବର ଦୁଇଟି ପ୍ରତିଷ୍ଠିତ ଅନୁଷ୍ଠାନ ହୋଇପଡ଼ିଛି। ଏହା ବ୍ୟତୀତ ଶ୍ରୀ ସାମନ୍ତ ଶିକ୍ଷା ମାଧ୍ୟମରେ ଲକ୍ଷ ଲକ୍ଷ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରି କିସକୁ ସମଗ୍ର ବିଶ୍ବରେ ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ମଡେଲ ଭାବେ ପରିଣତ କରିପାରିଛନ୍ତି।

ଏସଡିଜି ଗୋଲ ଟେବଲ ବୈଠକରେ ବକ୍ତବ୍ୟ ରଖି ଶ୍ରୀ ସାମନ୍ତ କହିଲେ, ଏହି ପ୍ୟାନେଲ ଆଲୋଚନା ଓଡ଼ିଶା ଏବଂ ଭାରତ ପାଇଁ ଗର୍ବର ବିଷୟ। ଏହା କିଟ ଓ କିସରେ ଏସଡିଜି ଲକ୍ଷ୍ୟ କାର୍ଯ୍ୟକାରୀ ହେବାର ପ୍ରତିଫଳନ ବୋଲି ଶ୍ରୀ ସାମନ୍ତ କହିଥିଲେ। ଦାରିଦ୍ର୍ୟରୁ ନିଜ ଜୀବନ ଯାତ୍ରାକୁ ଅନୁଧ୍ୟାନ କରି ଶ୍ରୀ ସାମନ୍ତ କହିଲେ, ବିକାଶ ନିଶ୍ଚିତ ଭାବରେ ଶେଷ ଗାଁର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ଦରକାର। କିଟ ଓ କିସରେ ଲାଟିନ ଆମେରିକା ଓ କାରାବିୟାନ ଦେଶ ସମୂହ (ଗୃଲାକ) ଓ ଭାରତ ମଧ୍ୟରେ ଉଦ୍ଭାବନ ଏବଂ ଜ୍ଞାନର ବିନିମୟ ଉପରେ ଦୃଷ୍ଟିଦେବାକୁ ସେ ରାଷ୍ଟ୍ରଦୂତମାନଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ଗୃଲାକର ସଂଯୋଜକ ତଥା ଉରୁଗୁଏ ରାଷ୍ଟ୍ରଦୂତ ଆଲବର୍ଟୋ ଆଣ୍ଟୋନିଓ ଗୁଆନି ଅମରିଲା ରାଷ୍ଟ୍ରଦୂତ ପତିନିଧିମଣ୍ଡଳ ପକ୍ଷରୁ ବକ୍ତବ୍ୟ ରଖି କହିଲେ, ସହଯୋଗ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ। “ଭାରତରେ ଥିବା ଲାଟିନ୍ ଆମେରିକା ଏବଂ କାରିବିଆନ୍ ଦେଶର ପ୍ରତିନିଧି ଗୋଷ୍ଠୀର ସଂଯୋଜକ ଭାବରେ ଏହି ରାଉଣ୍ଡଟେବୁଲର ଏକ ଅଂଶ ହେବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଗୃଲାକ ସହଭାଗୀ ଅଭିଜ୍ଞତା ଉପରେ ସହଯୋଗର ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଇଚ୍ଛୁକ ବୋଲି ସେ କହିଥିଲେ। ଭାରତ ସହିତ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ, ନବୀକରଣଯୋଗ୍ୟ ଶକ୍ତି ଏବଂ ବୃହତ ସ୍ତରର ବିକାଶ କାର୍ଯ୍ୟକ୍ରମ ଉପରେ ନିର୍ମାଣ କରିପାରିବ, ଜଳବାୟୁ ଅନୁକୂଳତା, ସ୍ୱଦେଶୀ ଜ୍ଞାନ ଏବଂ ସମ୍ପ୍ରଦାୟ ଭିତ୍ତିକ ଉଦ୍ଭାବନ କ୍ଷେତ୍ରରେ ଭାରତ ସହ ଆମର ଭାଗିଦାରୀ ରହିବ ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.