କିମ୍‍ସ ମେଡିକାଲ୍‍ କଲେଜର ବାର୍ଷିକ ସାଂସ୍କୃତିକ ଉତ୍ସବ ଉଦ୍‍ଘାଟିତ

193

ଭୁବନେଶ୍ୱର, ୧୮ ।୯: ମେଡିକାଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ଜନଶୀଳତା, ନବସର୍ଜନା ଏବଂ ପ୍ରତିଭାର ପ୍ରଦର୍ଶନ ନିମନ୍ତେ ଆଜି କିମ୍‍ସ ମେଡିକାଲ୍‍ କଲେଜର ବାର୍ଷିକ ସାଂସ୍କୃତିକ ଉତ୍ସବ କାର୍ତେ୍‍ ବ୍ଲାଞ୍ଚେର ୧୪ ତମ ସଂସ୍କରଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍‍ଘାଟନ କରି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭବିଷ୍ୟତର ଡାକ୍ତରମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇ କହିଲେ ଡାକ୍ତର ଭାବେ ଜଣେ ଛାତ୍ର ଯେତେ ଲୋକପ୍ରିୟ ହୁଅନ୍ତୁ ନା କାହିଁକି, ଜଣେ ଭଲ ମଣିଷ ହେବାକୁ ସର୍ବଦା ଚେଷ୍ଟା କରିବା ଉଚିତ। କିଟ୍‍ ହେଉଛି ସର୍ଜନଶୀଳତା ଓ ନବସର୍ଜନା ପ୍ରୋତ୍ସାହନର ସର୍ବୋତ୍ତମ ପ୍ଲାଟଫର୍ମ। ଡାକ୍ତରୀ ଛାତ୍ରଛାତ୍ରୀ ଜଣେ ଜଣେ ଅଲରାଉଣ୍ଡର ହେବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ, କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ କହିଲେ, କାର୍ତେ ବ୍ଲାଞ୍ଚେ ଭଳି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ପାରିପାର୍ଶ୍ୱିକ ଚିନ୍ତାଧାରା, ଚାପମୁକ୍ତି ଏବଂ ସର୍ବଦା ସେମାନଙ୍କ ସହିତ ରହିପାରୁଥିବା ଆବେଗର ବିକାଶ ପାଇଁ ସୁଯୋଗ ପ୍ରଦାନ କରିଥାଏ। କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା ଆର.ସି. ଦାସ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆନୁଷ୍ଠାନିକ ପାଠ୍ୟକ୍ରମ ବ୍ୟତୀରକେ ସେମାନଙ୍କ ମଧ୍ୟରେ ଥିବା ସର୍ଜନଶୀଳତାର ପରିପ୍ରକାଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଲେ, “ଆମେ ତୁମକୁ ଡାକ୍ତରୀ ଶିକ୍ଷାଦାନ କରୁଛୁ, କିନ୍ତୁ ଆମେ ଚାହୁଁଛୁ, ତୁମେମାନେ ସବୁବେଳେ ସର୍ଜନଶୀଳ ଅନୁସନ୍ଧିତ୍ସୁ ହେବା ସହ ମାନବିକ ମୂଲ୍ୟବୋଧ ଆଧାରରେ ଚିକିତ୍ସା ସେବା ଯୋଗାଇଦିଅ। କିମ୍‍ସ ଉପକୁଳପତି ପ୍ରଫେସର ସି. ବି. କେ. ମହାନ୍ତି କହିଲେ, ପ୍ରତିଭା ହେଉଛି ଏକ ଜନ୍ମଗତ ଗୁଣ। ସମସ୍ତଙ୍କ ନିକଟରେ କିଛି ନା କିଛି ପ୍ରତିଭା ରହିଛି। ସେହି ପ୍ରତିଭାକୁ ଚିହ୍ନି କାର୍ଯ୍ୟକାରୀ କରିପାରିଲେ ସେ ଜଣେ ଭଲ ମଣିଷ ହୋଇପାରିବ ବୋଲି ସେ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରତଜିତ ସିଂହ କହିଲେ, ଡାକ୍ତରମାନେ ବହୁ ପ୍ରତିଭାର ଅଧିକାରୀ। ଡାକ୍ତରମାନଙ୍କଠାରେ ସେମାନଙ୍କ ବୃତ୍ତି ବ୍ୟତୀତ ଅନ୍ୟାନ୍ୟ ପ୍ରତିଭା ମଧ୍ୟ ରହିଥିବା ଦେଖାଯାଏ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିମ୍‍ସ ହସ୍‍ପିଟାଲ୍‍ ଅଧୀକ୍ଷକ ଡା. ମାନସ ବେହେରା, କିଟ୍‍ ଡେଣ୍ଟାଲ୍‍ କଲେଜର ଅଧ୍ୟକ୍ଷ ଡା ଅଶ୍ୱିନୀ କରଙ୍କ ସମେତ ମେଡିକାଲ୍‍ କଲେଜର ବିଭିନ୍ନ ବିଭାଗର ମୁଖ୍ୟ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ବାର୍ଷିକ ସାଂସ୍କୃତିକ ମହୋତ୍ସବରେ କିମ୍‍ସ ମେଡିକାଲ୍‍ କଲେଜ, ଡେଣ୍ଟାଲ୍‍, ଫାର୍ମାସୀ, ଫିଜିଓଥେରାପି ଓ ଅନ୍ୟ ଡାକ୍ତରୀ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed, but trackbacks and pingbacks are open.