ଜି-୨୦ ସମ୍ମିଳନୀରେ ମୋଦି ଙ୍କ ଆହ୍ୱାନ : ଆଫଗାନିସ୍ତାନ କୁ ତୁରନ୍ତ ମାନବିକ ସହାୟତା ଯୋଗାଯାଉ

30

ଆଫଗାନିସ୍ତାନ ରେ ତୁରନ୍ତ ମାନବିକ ସହାୟତା ଯୋଗାଇଦେବାପାଇଁ ଜି-୨୦ ରାଷ୍ଟ୍ର ଙ୍କୁ ନିବେଦନ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି I ମଙ୍ଗଳବାର ଇଟାଲୀ ଦ୍ୱାରା ଡ଼କାଯାଇଥିବା ଜି-୨୦ ଆଭାସୀ ସମ୍ମିଳନୀ ରେ ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ସ୍ଥିତି ଉପରେ ଆଲୋଚନା କରିବାକୁ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ସେ କଠୋରପନ୍ଥୀ ଚିନ୍ତାଧାରା, ଆତଙ୍କବାଦ ଓ ନିଶାଦ୍ରବ୍ୟ ଚାଲାଣ ବିରୋଧରେ ସବୁ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଆହ୍ୱାନ କରିଛନ୍ତି।

ଏଥିସହ ଆଫଗାନିସ୍ତାନ ଯେମିତି କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ଇଲାକା ନ ବନିବ, ସେଥିପାଇଁ ସମସ୍ତେ ପଦକ୍ଷେପ ନେବା ଜରୁରୀ ବୋଲି ମୋଦି କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଜି-୨୦ ସମ୍ମିଳନୀରେ ମୋଦି କହିଛନ୍ତି, ଆଫଗାନ ନାଗରିକଙ୍କୁ ତତ୍କାଳ ଭାବେ ମାନବୀୟ ସହାୟତା ଓ ସେଠାରେ ସବୁ ପକ୍ଷଙ୍କୁ ନେଇ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରାଯିବା ଦରକାର। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩କୁ ଭିତ୍ତି କରି ଆଫଗାନର ସ୍ଥିତିକୁ ସୁଧାରିବାକୁ ହେବ ବୋଲି ମୋଦି କହିଛନ୍ତି।

ଅଗଷ୍ଟ ୩୦ରେ ଜାତିସଂଘ ସୁରକ୍ଷା ପରିଷଦରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ଆଫଗାନ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏହାବାଦ ଆଫଗାନ ମାଟି ଯେମିତି ଆତଙ୍କବାଦ ପାଇଁ ବ୍ୟବହାର ନ ହେବ ଓ ସ୍ଥିତିରୁ ମୁକୁଳିବା ପାଇଁ ଗୋଟିଏ ରାଜନୀତିକ ବୁଝାମଣା କରାଯିବ ବୋଲି ଉକ୍ତ ସଂକଳ୍ପରେ କୁହାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ମୋଦି ଜି-୨୦ ସମ୍ମିଳନୀରେ କହିଛନ୍ତି।

ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନ ରେ ସୃଷ୍ଟି ହୋଇଥିବା ପରିସ୍ଥିତି ପ୍ରତି ବିଶ୍ୱର ସମସ୍ତ ରାଷ୍ଟ୍ର ଦୃଷ୍ଟି ଦେବା ସହ ସହଯୋଗ ର ହାତ ବଢ଼ାଇବା ସମ୍ପର୍କରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବା ଉଚିତ ବଳି ମୋଦି କହିଛନ୍ତି I
ଗତ ୨୦ ବର୍ଷ ମଧ୍ୟରେ ଆଫଗାନକୁ ମିଳିଥିବା ସୋସିଓ-ଇକୋନୋମିକ ଲାଭକୁ ବଜାୟୀ ରଖିବା ଓ ମୌଳବାଦୀ ଚିନ୍ତାଧାରାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଆଫଗାନରେ ସମସ୍ତଙ୍କୁ ନେଇ ଗୋଟିଏ ପ୍ରଶାସନିକ ବ୍ୟବସ୍ଥା ଗଠନ ହେବା ଉଚିତ। ଏଥିରେ ମହିଳା ଓ ସଂଖ୍ୟାଲଘୁଙ୍କୁ ମଧ୍ୟ ସାମିଲ କରାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ବୈଠକରେ କହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସର ରେ ୟୁରୋପୀୟ ସଂଘ ଆଫଗାନିସ୍ତାନ ପାଇଁ ୧୨୦ କୋଟି ୟୁରୋ ସହାୟତା ଘୋଷଣା କରିଥିବାବେଳେ ପୂର୍ବ ରୁ ମଧ୍ୟ ୨୫୦ ଓ ୩୦୦ ନିୟୁତ ୟୁରୋ ଅର୍ଥ ରାଶି ଘୋଷଣା କରାଯାଇଥିଲା I
ଏହି ସମ୍ମିଳନୀରେ ଇଟାଲୀ ପ୍ରଧାନ ମନ୍ତ୍ରୀ ମାରିଓ ଦ୍ରାଘି ଅଧ୍ୟକ୍ଷତା କରିଥିଲେ I ସମ୍ମିଳନୀ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉଦ୍ବୋଧନ ଦେଇଥିବାବେଳେ ରୁଷିଆ ଓ ଚୀନ ରାଷ୍ଟ୍ରପତି ଙ୍କ ପ୍ରତିନିଧି ଅଂଶଗ୍ରହଣ କରିଥିଲେ I

Leave A Reply

Your email address will not be published.