ଭୁବନେଶ୍ଵର: ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଏହି ସମସ୍ତ ସାର ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀମାନଙ୍କୁ ମିଳିବ। ଶତ ପ୍ରତିଶତ ଅର୍ଥାତ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡ୍ ଜରିଆରେ କେବଳ ବଣ୍ଟନ ହେବ। ଏହା ଦ୍ଵାରା ଚାଷୀମାନେ ୟୁରିଆ ସାର ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସରକାର ଶୃଙ୍ଖଳିତ ସାର ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ଵ ଦେଉଛନ୍ତି ବୋଲି ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ। ଆସନ୍ତା ଖରିଫ୍ ଋତୁ ପୂର୍ବରୁ ମାର୍କଫେଡ୍ ଅଧୀନରେ ଥିବା ଗୋଦାମର କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପାକ୍ସ / ଲାମ୍ପସଠାରୁ ସୂଚନା ଆଣି ଆବଶ୍ୟକତା ଅନୁସାରେ ଆଗୁଆ ସାର ମହଜୁଦ ରଖିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ନାୟକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.