ଭୁବନେଶ୍ୱର: ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ତଥାପି ଏହି ପ୍ରସଙ୍ଗ ପୁଣି ଥରେ ଶ୍ରୀମନ୍ଦିର ନିୟମ ପାଳନ ନେଇ ପ୍ରଶ୍ନ ସୃଷ୍ଠି କରିଛି ।
ତେବେ ମୁଖ୍ୟମନ୍ତ୍ରୀ ତମାଙ୍ଗ ଶୁକ୍ରବାର ଦିନ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ, ଭିତର ବେଢାରେ ଉଠାଯାଇଥିବା ଫଟୋଗ୍ରାଫ୍ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି। ଫଟୋଗୁଡ଼ିକ ମନ୍ଦିର ପରିସରରେ ଥିବା ମା ମଙ୍ଗଳା ମନ୍ଦିର ନିକଟରେ ନିଆଯାଇଥିବା କୁହାଯାଇଛି । ତମାଙ୍ଗଙ୍କ ଫେସବୁକରେ ଅପଲୋଡ ହୋଇଥିବା ପୋଷ୍ଟଟିରେ ଲେଖାଯାଇଥିଲା, “ଶାନ୍ତି, ଭକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ବିକିରଣ କରୁଥିବା ପବିତ୍ର ଜଗନ୍ନାଥ ମନ୍ଦିରକୁ ଦର୍ଶନ କରି ସେ ଧନ୍ୟ ଅନୁଭବ କରିଛନ୍ତି” । ଯାହା ଭାଇରାଲ ହେବା ପରେ ଅନେକ ମହଲରୁ ଏହାକୁ ସମାଲୋଚନା କରାଯାଇଛି । କାରଣ ମନ୍ଦିର ଭିତରେ ଫଟୋ ଉଠାଇବା କଡ଼ାକଡ଼ି ନିଷିଦ୍ଧ। ଆଉ ଜନସାଧାରଣଙ୍କ ବିରୋଧ ପରେ, ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲିଟ୍ କରିଦିଆଯାଇଛି । ଏହାପରେ ବି, ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ମନ୍ଦିରର ନିଷିଦ୍ଧ ଅଞ୍ଚଳ ମଧ୍ୟରେ ଫଟୋଗ୍ରାଫିକୁ କିପରି ଅନୁମତି ଦିଆଗଲା । ନା ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ଆଉ ସରକାରୀ ଅଧିକାରୀ, ଅଫିସରଙ୍କ ପାଇଁ ଅନ୍ୟ ଏକ ନିୟମ? ସବୁଠୁ ବଡ କଥା ହେଉଛି, ସିକିମ୍ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ପୁରୀ କଲେକ୍ଟର, ଏସ୍ପି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ତାଙ୍କ ସହ ଉପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିପରି ନିଆଯାଇଥିଲା ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫଟୋ କିପରି ଉଠିଲା ତାହାକୁ ନେଇ ଏବେ ଅସନ୍ତୋଷ ତେଜିଛି । ସିକିମ୍ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ଶ୍ରୀମନ୍ଦିର ପ୍ରୋଟୋକଲ୍ ବିଷୟରେ ସୂଚନା ଦିଆଯାଇଥିଲା କି ନାହିଁ ତାହା ମଧ୍ୟ ପ୍ରଶ୍ନ କରାଯାଉଛି । ମାତ୍ର ଏହି ଘଟଣାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କୌଣସି ପ୍ରତିକ୍ରିୟା ଜାରି କରିନାହିଁ।
Comments are closed, but trackbacks and pingbacks are open.