ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟାଫ୍ ସହକାରୀ ମୁଖ୍ୟ(ଶିକ୍ଷା) ଏୟାର ଭାଇସ୍ ମାର୍ଶାଲ୍ ହରଜିତ୍ ଏସ୍ ସିଦାନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ସନ୍ତାନ ସନ୍ତତି, ବାୟୁସେନାର ଭେଟରାନ୍ କର୍ମଚାରୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରକାର ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଫି ରିହାତି ପ୍ରଦାନ କରାଯିବ। ସେହିପରି ବାୟୁସେନାର କୌଣସି କର୍ମଚାରୀ କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ସେମାନଙ୍କ ପିଲାମାନଙ୍କ ପାଇଁ ସମସ୍ତ ପାଠ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଫି ଛାଡ଼ କରାଯିବ। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଡ଼ିପ୍ଲୋମା ଓ ଡ଼ିଗ୍ରୀ, ଡ଼ାକ୍ତରୀ, ଡ଼େଣ୍ଟାଲ୍ ଓ ନର୍ସିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ଡାକ୍ତରୀ ଓ ଡେଣ୍ଟାଲ୍ ପାଠ୍ୟକ୍ରମ ନିମନ୍ତେ ସେମାନଙ୍କୁ ନିଟ୍ର ସମସ୍ତ ମାନଦଣ୍ଡକୁ ପୂରଣ କରିବାକୁ ପଡ଼ିବ।
ସେହିପରି କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରକାର ପାଠ୍ୟକ୍ରମ ପାଇଁ କିଟ୍ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାଛଡ଼ା କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଓ ଭାରତୀୟ ବାୟୁସେନାର ଶିକ୍ଷା ବିଭାଗ ମିଳିତ ଭାବେ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ। କିଟ୍ ବିଶ୍ୱବିଦ୍ୟାଳୟ ଓ ବାୟୁସେନା ଶିକ୍ଷା ବିଭାଗ ମିଳିତ ଭାବେ ବିଭିନ୍ନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକାର ସ୍ୱଳ୍ପ ଅବଧି ପାଠ୍ୟକ୍ରମ ପ୍ରସ୍ତୁତି, ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଦାନ ଓ କର୍ମଶାଳା ଆଦି ଆୟୋଜନ ଦିଗରେ କାର୍ଯ୍ୟ କରିବେ। ଏହି ବୁଝାମଣାପତ୍ରର କାର୍ଯ୍ୟକାରିତା ତଦାରଖ ପାଇଁ ଏକ ଯୁଗ୍ମ ସଂଯୋଜନା କମିଟିର ବ୍ୟବସ୍ଥା ରହିଛି। ଭାରତୀୟ ବାୟୁସେନା କର୍ମଚାରୀଙ୍କ ପିଲାମାନଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଆର୍ଥିକ ସହଯୋଗ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସିଂହ କହିଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନାର ଅଧିକାରୀମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସାକ୍ଷତ ମଧ୍ୟ କରିଥିଲେ।
Prev Post
Comments are closed, but trackbacks and pingbacks are open.