ଓଭାଲ୍ ଟେଷ୍ଟ୍‌: ଇଂଲଣ୍ଡକୁ ୬ ରନ୍‌ରେ ହରାଇଲା ଭାରତ

718

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟ୍‌ରେ ଯୁବ କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍‌ଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୬ ରନ୍‌ର ରୋମାଞ୍ଚକର ବିଜୟ ହାସଲ କରିଛି। ବିଜୟ ପାଇଁ ଇଂଲଣ୍ଡକୁ ୩୭୪ ରନ୍‌ର ଲକ୍ଷ୍ୟ ମିଳିଥିବା ବେଳେ ମ୍ୟାଚ୍‌ର ପଞ୍ଚମ ତଥା ଅନ୍ତିମ ଦିନର ପ୍ରଥମ ସେସନ୍‌ରେ ଇଂଲିଶ ଟିମ୍‌ର ଦ୍ୱିତୀୟ ଇନିଂସ୍ ୩୬୭ ରନ୍‌ରେ ସୀମିତ ହୋଇଯାଇଥିଲା। ରନ୍ ହିସାବରେ ଏହା ଟେଷ୍ଟ୍ ମ୍ୟାଚ୍‌ରେ ଭାରତର ସବୁଠୁ ଛୋଟ ବିଜୟ। ଏହି ବିଜୟ ସହିତ ଭାରତୀୟ ଟିମ୍ ପାଞ୍ଚ ଟେଷ୍ଟ୍ ବିଶିଷ୍ଟ ଆଣ୍ଡସନ୍‌-ତେନ୍ଦୁଲକର ଟ୍ରଫି ୨-୨ରେ ଡ୍ର’ ରଖିଛି। ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍ ହାସଲ କରିଥିବା ଫାଷ୍ଟ୍ ବୋଲର୍ ମହମ୍ମଦ ସିରାଜ୍ ଭାରତର ବିଜୟରେ ନାୟକ ସାଜିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ତାଙ୍କୁ ଫାଷ୍ଟ ବୋଲର୍ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଉପଯୁକ୍ତ ସହାୟତା କରିଛନ୍ତି ଏବଂ ଦ୍ୱିତୀୟ ଇନିଂସ୍‌ରେ ଚାରି ଇଂଲିଶ ଖେଳାଳିଙ୍କୁ ଆଉଟ୍ କରିଛନ୍ତି। ସିରାଜ୍ ଓ କ୍ରିଷ୍ଣା ପ୍ରଥମ ଇନିଂସ୍‌ରେ ୪-୪ ୱିକେଟ୍ ଅକ୍ତିଆର କରିଥିଲେ। ଅର୍ଥାତ୍ ମ୍ୟାଚ୍‌ରେ ସିରାଜ୍‌ଙ୍କୁ ୯ ଏବଂ କ୍ରିଷ୍ଣାଙ୍କୁ ୮ ୱିକେଟ୍ ମିଳିଛି। ବାକି ଦୁଇ ୱିକେଟ୍ ଆକାଶ ଦୀପ୍‌ଙ୍କ ଖାତାକୁ ଯାଇଛି। ଭାରତୀୟ କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍ ପ୍ଲେୟର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ଦେଖିବାକୁ ଗଲେ ଚତୁର୍ଥ ଦିନ (ରବିବାର) ହିଁ ମ୍ୟାଚ୍‌ର ଫଳାଫଳ ବହାରିଥାନ୍ତା। ମାତ୍ର ଚତୁର୍ଥ ଦିନ ବର୍ଷା କାରଣରୁ ତୃତୀୟ ସେସନ୍‌ରେ ମାତ୍ର ୧୦.୨ ଓଭର୍ ଖେଳ ହୋଇପାରିଥିଲା। ବର୍ଷା ବନ୍ଦ ହେବା ବେଳକୁ ବହ ବିଳମ୍ବ ହୋଇଯାଇଥିଲା। ଫଳରେ ଚତୁର୍ଥ ଦିନ ଖେଳ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଥିଲା। ପଞ୍ଚମ ଦିନ ବିଜୟ ପାଇଁ ଇଂଲଣ୍ଡକୁ ୩୫ ରନ୍‌ର କରିବାକୁ ଥିବାବେଳେ ଭାରତକୁ ୪ ୱିକେଟ୍‌ର ଆବଶ୍ୟକତା ଥିଲା। ପଞ୍ଚମ ଦିନର ଖେଳରେ ମହମ୍ମଦ ସିରାଜ୍ ପ୍ରଥମେ ଜେମି ସ୍ମିଥ୍ (୨)ଙ୍କୁ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ କରାଇଥିଲେ। ପୁଣି ଜେମି ଓଭର୍‌ଟନ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହାପରେ ପ୍ରସିଦ୍ଧ କ୍ରିଷ୍ଣା ଜୋଶ୍ ଟଙ୍ଗ୍‌ଙ୍କୁ ବୋଲ୍ଡ କରିଥିଲେ। ସେତେବେଳକୁ ବିଜୟ ପାଇଁ ଇଂଲଣ୍ଡକୁ ୧୭ ରନ୍‌ର ଆବଶ୍ୟକତା ଥିଲା। ଆହତ କ୍ରିସ୍ ୱକ୍ସ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିଲେ। ଗସ୍ ଆଟ୍‌କିନ୍‌ସନ୍ ଓ ୱକ୍ସ ମିଶି ୧୦ ରନ୍ ଯୋଡ଼ିଥିଲେ। ଏବେ ଇଂଲଣ୍ଡକୁ ୭ ରନ୍ ଦରକାର ଥିବା ବେଳେ ସିରାଜ୍ ୮୬ତମ ଓଭର୍‌ର ପ୍ରଥମ ବଲ୍‌ରେ ଆଟ୍‌କିନ୍‌ସନ୍‌ଙ୍କୁ ଆଉଟ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୨୨୩ ଏବଂ ଦ୍ୱିତୀୟ ଇନିଂସ୍‌ରେ ୩୯୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୪୭ ଓ ଦ୍ୱିତୀୟ ଇନିଂସ୍‌ରେ ୩୬୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ୍‌ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ୍‌କୁ କେବଳ ମାତ୍ ଦେଇନାହିଁ, ବରଂ କେତେକ ଐତିହାସିକ କୀର୍ତ୍ତିମାନ ନିଜ ନାମରେ କରିଛି। ଟେଷ୍ଟ୍ କ୍ରିକେଟ୍‌ର ଏହି ମ୍ୟାଚ୍ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ରୋମାଞ୍ଚ ଏବଂ ରେକର୍ଡର ଏକ ଉନ୍ନତ ସଙ୍ଗମ ହୋଇଛି। ବିଦେଶ ମାଟିରେ ଭାରତ କୌଣସି ଟେଷ୍ଟ୍ ସିରିଜ୍‌ର ପଞ୍ଚମ ମ୍ୟାଚ୍ ଜିତିବା ଏହା ପ୍ରଥମ ଘଟଣା। ଇଂଲଣ୍ଡ ୨୦୧୮ ପରେ ଭାରତ ବିପକ୍ଷରେ କୌଣସି ଟେଷ୍ଟ୍ ସିରିଜ୍ ଜିତିପାରି ନାହିଁ। ଏହାପରେ ଦୁଇଟି ସିରିଜ୍ ଭାରତ ଜିତିଥିବା ବେଳେ ଦୁଇଟି ଡ୍ର’ରେ ଶେଷ ହୋଇଛି। ଏହି ମ୍ୟାଚ୍ ସହିତ ଭାରତ ଓ ଇଂଲଣ୍ଡ ଟେଷ୍ଟ୍ ସିରିଜ୍‌ରେ ମୋଟ ୭୧୮୭ ରନ୍ ହୋଇଛି। ଏହା କୌଣସି ଦ୍ୱିପାକ୍ଷିକ ଟେଷ୍ଟ୍ ସିରିଜ୍‌ରେ ଦ୍ୱିତୀୟ ସର୍ବାଧିକ ରନ୍‌। ଏହା ବ୍ୟତୀତ ସିରିଜ୍‌ରେ ମୋଟ ୧୪ ଥର ଉଭୟ ଟିମ୍ ୩୦୦ କିମ୍ବା ଏହାଠାରୁ ଅଧିକ ସ୍କୋର୍ କରିଛନ୍ତି। ଏହା ଯୁଗ୍ମ ଭାବେ ସର୍ବାଧିକ। ରେକର୍ଡ ୯ ଜଣ ବ୍ୟାଟ୍ସମ୍ୟାନ୍ ଏହି ସିରିଜ୍‌ରେ ୪୦୦ କିମ୍ବା ଏହାଠାରୁ ଅଧିକ ରନ୍ କରିଛନ୍ତି। ସେହିପରି ୫୦ ଅର୍ଦ୍ଧଶତକ ଏବଂ ୨୧ ଶତକ ମଧ୍ୟ ହୋଇଛି। ଏହା ମଧ୍ୟ ରେକର୍ଡ ସମକକ୍ଷ। ୧୯ ଥର ଶତକୀୟ ପାର୍ଟନରଶିପ୍ ମଧ୍ୟ ଏହି ସିରିଜ୍‌ରେ ଦେଖିବାକୁ ମିଳିଛି। ଏହା ଟେଷ୍ଟ୍ ଇତିହାସରେ ଯୁଗ୍ମ ସର୍ବଶ୍ରେଷ୍ଠ। ବୋଲିଂରେ ମଧ୍ୟ ଭାରତ କମାଲ ପ୍ରଦର୍ଶନ କରିଛି। ମହମ୍ମଦ ସିରାଜ୍ କୌଣସି ଟେଷ୍ଟ୍ ସିରିଜ୍‌ରେ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ (୨୩) ହାସଲର ରେକର୍ଡ ଦୋହରାଇଛନ୍ତି। ଓଭାଲ୍ ଟେଷ୍ଟ୍‌ରେ ସିରାଜ୍ ମୋଟ ୯ ୱିକେଟ୍ ଅକ୍ତିଆର କରିଛନ୍ତି। ଏହା କେବଳ ସିରିଜ୍‌କୁ ଐତିହାସିକ କରିନାହିଁ, ବରଂ ଭାରତୀୟ କ୍ରିକେଟ୍‌କୁ ଏକ ନୂଆ ଆତ୍ମବିଶ୍ୱାସ ପ୍ରଦାନ କରିଛି।

Comments are closed, but trackbacks and pingbacks are open.