ନୂଆଦିଲ୍ଲୀ: ଭାରତ-ଚୀନ୍ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ‘ଆପଣ କିପରି ଜାଣିଲେ ଯେ ଚୀନ୍ ଭାରତର ୨୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ କ’ଣ ପ୍ରମାଣ ଥିଲା? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କହିପାରିବେ ନାହିଁ। ଯେତେବେଳେ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଉଭୟ ପାର୍ଶ୍ୱର ସେନା କ୍ଷତି ସହିବା ସ୍ୱାଭାବିକ।’ ଡିସେମ୍ବର ୧୬, ୨୦୨୨ ରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଭାରତ-ଚୀନ୍ ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଏକ ଭାଷଣରେ କହିଥିଲେ ଯେ, ଚୀନ୍ ସୈନିକମାନେ ଭାରତୀୟ ସୈନିକଙ୍କୁ ମାରୁଛନ୍ତି। ଏହି ବିବୃତ୍ତିକୁ ଆଧାର କରି ବର୍ଡର ରୋଡ୍ ଅର୍ଗାନାଇଜେସନ୍ର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌରେ ରାହୁଲଙ୍କ ବିରୋଧରେ ଏକ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ।
Comments are closed, but trackbacks and pingbacks are open.