କିମସରେ ବିଶ୍ୱ ଆଇଭିଏଫ ଦିବସ ପାଳିତ

239

ଭୁବନେଶ୍ୱର, ୨୫ ।୭: କୃତ୍ରିମ ପ୍ରଜନନ କ୍ଷେତ୍ରରେ ନିରନ୍ତର ସଫଳତା ପାଇଁ ଜଣାଶୁଣା କିମସର ସେଣ୍ଟର ଫର୍‍ ରିପ୍ରଡକ୍ଟିଭ୍‍ ମେଡିସିନ୍‍ (ସିଆରଏମ)ରେ ପ୍ରଜନନ ସଚେତନତା ବାର୍ତ୍ତା ସହିତ ବିଶ୍ୱ ଆଇଭିଏଫ ଦିବସ ପାଳିତ ହୋଇଯାଇଛି। ୨୦୧୭ରେ ପ୍ରତିଷ୍ଠା ହେବା ପରଠାରୁ କିମ୍‍ସର ଏହି କେନ୍ଦ୍ରରେ ୫୮ପ୍ରତିଶତ ସଫଳତା ସହ ୫୦୦୦ରୁ ଅଧିକ ବନ୍ଧ୍ୟାତ୍ୱ ଚିକିତ୍ସା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସିଆରଏମର ମୁଖ୍ୟ ପରାମର୍ଶଦାତା ଡା ମୌସୁମୀ ଆଚାର୍ଯ୍ୟ କେନ୍ଦ୍ରର ସଫଳ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଏବେ ଏଠାରେ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରାଯିବା ସହ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଜରିଆରେ ବନ୍ଧ୍ୟାକରଣ ଚିକିତ୍ସା କରାଯାଉଛି ବୋଲି ଡା. ଆଚାର୍ଯ୍ୟ କହିଥିଲେ। କିମ୍‍ସର ଏହି ସିଆରଏମ ଦଳ ପ୍ରଜନନ ଔଷଧରେ ଏକ ଫେଲୋସିପ୍ କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ଘୋଷଣା କରିଛି। ପରବର୍ତ୍ତୀ ପିଢ଼ିର ପ୍ରଜନନ ବିଶେଷଜ୍ଞମାନଙ୍କୁ ତାଲିମ ଦେବା ଏହାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। କିମସର ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଡା ଆର.ସି. ଦାସ କହିଲେ, ଏଠାରେ ଆମେ କେବଳ ବନ୍ଧ୍ୟାକରଣର ଚିକିତ୍ସା କରୁନାହିଁ ବରଂ ଜୀବନ ସୃଷ୍ଟି କରୁଛୁ।

କିମ୍‍ସ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଜ୍ୟୋତ୍ସ୍ନାମୟୀ ପଣ୍ଡା କହିଲେ, ପ୍ରଜନନ ବିଜ୍ଞାନ ଦ୍ରୁତ ଗତିରେ ବିକଶିତ ହେଉଛି। ଆମେ ବର୍ତ୍ତମାନ ଆଇଭିଏଫରୁ ଆଇଭିଜି ଆଡକୁ ଅଗ୍ରଗତି କରୁଛୁ। କିମସ ସ୍କୁଲ୍ ଅଫ୍ ନର୍ସିଂ (କିନସ) ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିନସ ଅଧ୍ୟକ୍ଷା ପ୍ରଫେସର ନିୟତି ଦାସ ବନ୍ଧ୍ୟାକରଣ ଚିକିତ୍ସାରେ ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେହିପରି ଲେଖିକା ଓ ଉଦ୍‍ଘୋଷସିକା କଳ୍ପନା ମିଶ୍ର ‘ଜଣେ ମାଆ ଦ୍ୱାରା ଜଣେ ମାଆକୁ’ ଶୀଷର୍କ ଆଲୋଚନାରେ ଅଂଶଗ୍ରହଣ କରି ବନ୍ଧ୍ୟାତ୍ୱ ବିଷୟରେ ଲିଙ୍ଗଗତ ଷ୍ଟେରିଓଟାଇପ୍ ଭାଙ୍ଗିବା ଉପରେ ଗୁରୁତ୍ୱାରୋପ କରିଥିଲେ। 

Comments are closed, but trackbacks and pingbacks are open.