ଭୁବନେଶ୍ଵର: ସବୁ ଟ୍ରେନ୍ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହାଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀ ଦଳଙ୍କ ଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ। କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ବଗି ଦ୍ୱାର ନିକଟରେ ଥିବା ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ।କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍ ଏବଂ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ୧୨ ଜୁଲାଇ, ୨୦୨୫ ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Comments are closed, but trackbacks and pingbacks are open.