ଭୁବନେଶ୍ୱର: କୋଭିଡ ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ଏବଂ ଏମ୍ସ ପକ୍ଷରୁ କରାଯାଉଥିବା ଗବେଷଣାରୁ ଜଣାପଡ଼ିଛି । କୋଭିଡ ଟିକା ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଦେଶରେ ୧୮ ରୁ ୪୫ ବର୍ଷୀୟ ଯୁବପିଢ଼ି ହୃଦଘାଦର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଆଇସିଏମଆର ଓ ଏମ୍ସ ଗବେଷଣାରୁ ଜଣାପଡିଛି ଯେ ଜୀବନଶୈଳୀ ଏବଂ ପୂର୍ବ ସମସ୍ୟା ଯୋଗୁ ହୃଦଘାତରେ ଜୀବନ ଯାଉଛି । ୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩ ମେ’ରୁ ଅଗଷ୍ଟ ମଧ୍ୟରେ କରାଯାଉଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ଏହି ଅଧ୍ୟୟନରେ ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ସୁସ୍ଥ ଦେଖାଯାଉଥିବା ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁକୁ ନେଇ ଗବେଷଣା କରାଯାଇଥିଲା। ତେବେ କାହିଁକି ଏଭଳି ହୃଦଘାତରେ ଜୀବନ ଯାଉଛି ତା’ର ପ୍ରକୃତ କାରଣ ଖୋଜିବାକୁ ଆଇସିଏମଆର ଏବଂ ଏମ୍ସ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
Comments are closed, but trackbacks and pingbacks are open.