ଆଡ଼ପ ଦର୍ଶନରେ ଭକ୍ତ ବିଭୋର:ବାହାରିଲା ପ୍ରଥମ ଆଡ଼ପ ଅଭଡ଼ା

249

ଭୁବନେଶ୍ବର: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ରତ୍ନବେଦୀରୁ ବାହାରି ଜନ୍ମବେଦୀରେ ବିରାଜିଛନ୍ତି ଚତୁର୍ଦ୍ଧା ମୂରତୀ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ। କେବଳ ମହାପ୍ରଭୁଙ୍କୁ ଅତିପାଖରୁ ଦର୍ଶନ କରିନାହାନ୍ତି ବରଂ ଆଡ଼ପ ଅବଢ଼ା ବି ସେବନ କରିଛନ୍ତି ଭକ୍ତ। ଏଥିସହ ଆଜିଠାରୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଗତକାଲି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂରତୀ ଆଡ଼ପମଣ୍ଡପରେ ପହଞ୍ଚି ଥିଲେ। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ ଭକ୍ତମାନେ କୋଟି ଜନ୍ମର ପୁଣ୍ୟ ଅର୍ଜନ କରିଥିବା କହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ଏସିର ବ୍ୟବସ୍ଥା ହୋଇଛି। ସେହିପରି ଜଗମୋହନ ଭିତରେ କାଠରେ ଖେଳ ପଡିଆ ଗ୍ୟାଲେରୀ ଭଳି ପାହାଚ ପାହାଚ ହୋଇ ରାମ୍ପ ନିର୍ମାଣ କରାଯାଇଛି। ଫଳରେ ପଛରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁ ପୂର୍ଣ୍ଣ ଦର୍ଶନ ପାଇପାରୁଛନ୍ତି। ରାମ୍ପ ହୋଇଥିବାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାରେ ଶ୍ରଦ୍ଧାଳୁଙ୍କର ଆଉ ଅସୁବିଧା ହେଉନାହିଁ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଲମ୍ବା ବ୍ୟାରିକେଡ଼ରେ ଅପେକ୍ଷା କରି ଶୃଙ୍ଖଳାର ସହ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଥିଲେ। ଏଥି ସହ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ରେ ଛିଡା ହୋଇଥିବା ଭକ୍ତମାନଙ୍କୁ ପାଣି ବୋତଲ ବଣ୍ଟନ ଓ ପାଣି ସ୍ପ୍ରେ କରାଯାଉଥିଲା। ସେପଟେ ମଙ୍ଗଳଆଳତି, ମଇଲମ୍‌, ତଡ଼ପ ଲାଗି, ଅବକାଶ, ବେଶ୍ ପରେ ଗୋପାଳ ବଲ୍ଲଭ ନୀତି ପରେ ପୂର୍ବାହ୍ଣ ୧. ୪୫ରେ ସକାଳ ଧୂପରେ ବାହାରିଥିଲା ପ୍ରଥମ ଆଡ଼ପ ଅବଢ଼ା। ଆଡ଼ପ ଅବଢ଼ା ପାଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଚରମ ତୃପ୍ତି ଓ ଆତ୍ମସନ୍ତୋଷ ଲାଭ କରିଥିଲେ। ମହାପ୍ରଭୁଙ୍କ ଏହି ମହାପ୍ରସାଦ ବର୍ଷକ ମଧ୍ୟରେ କେବଳ ମହାପ୍ରଭୁଙ୍କ ଏହି ନବ ଦିନାତ୍ମକ ଯାତ୍ରା ସମୟରେ ମିଳୁଥିବାରୁ ଭକ୍ତ ମାନେ ଏହି ସୁଯୋଗକୁ ହାତଛଡ଼ା କରୁ ନଥିଲେ। ନୀତି ନିର୍ଘଣ୍ଟ ଅନୁଯାୟୀ,ଆଜି ସବୁକିଛି ହୋଇଥିଲା।

Comments are closed, but trackbacks and pingbacks are open.