ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

93

ଭୁବନେଶ୍ୱର: ଜୁନ ୨୦ରେ ସ୍କୁଲ ଖୋଲିବ । ଆଉ ଡାଇରିଆ ପ୍ରବଣ ଅଞ୍ଚଳକୁ ଦୃଷ୍ଟିରେ ରଖି, ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯିବ। ସ୍ୱଚ୍ଛତା ସହ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେଇ ସାମଗ୍ରୀ ଓ ରୋଷେଇ ଘର ପରିଷ୍କାର ରଖିବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି । SMC, ପ୍ରଧାନ ଶିକ୍ଷକ, BEO, DEO, CRCC ମାନ ଯାଞ୍ଚ କରିବେ । ଯେପରି ସ୍ୱଚ୍ଛ ପରିବେଶରେ ଖାଦ୍ୟ ଦିଆଯିବ। ଏହାସହ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଥିବା କହିଛନ୍ତି ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ଭବାନୀ ପ୍ରସାଦ ମିଶ୍ର। ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍ ପୋଷଣ ୟୁନିଟ୍ । ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ଏଣିକି ନିୟମିତ ଭାବେ ଅଭିଭାବକମାନେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ। ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନ ହୁଏ ସେଥିଲାଗି ଧ୍ୟାନ ଦିଆଯିବ। ଏଥି ସହ ରୋଷେଇ ସାମଗ୍ରୀର ଏକ୍ସପାରୀ ତାରିଖଠୁ ଆରମ୍ଭ କରି ଏହାର ମାନକୁ ମଧ୍ୟ ଯାଞ୍ଚ କରିବେ ପ୍ରଧାନଶିକ୍ଷକ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନ ହୁଅନ୍ତି ସେଥିଲାଗି ଧ୍ୟାନ ଦେବାକୁ ତାଗିଦ୍ କରାଯାଇଛି। ରୋଷେଇ ପୂର୍ବରୁ ସହାୟିକା, ପାଚିକାଙ୍କୁ ରନ୍ଧନ ସାମଗ୍ରୀ ହସ୍ତାନ୍ତର କରା‌ଯିବ। ଏହା ପୂର୍ବରୁ ସମସ୍ତ ସାମଗ୍ରୀର ଯାଞ୍ଚ କରାଯିବ।

Comments are closed, but trackbacks and pingbacks are open.