ଆସାମ-ବାଂଲାଦେଶ ସୀମାରେ ଦୁର୍ବୃତ୍ତମାନଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

136

ଗ୍ବାହାଟୀ:- ଧୁବ୍ରି ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପଦ୍ରବକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ଦିରରେ ଗୋମାଂସ ଫିଙ୍ଗିବା ଘଟଣା କେବେ ଘଟିବା ଉଚିତ୍ ନଥିଲା । ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ । ସେ କହିଛନ୍ତି ଯେ ବାଂଲାଦେଶ ସୀମାନ୍ତବର୍ତ୍ତୀ ଧୁବ୍ରି ଜିଲ୍ଲାରେ ରାତିରେ ଗୁଳି ମାରିବା ନିର୍ଦ୍ଦେଶ ଲାଗୁ କରାଯିବ । ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି, “ମୁଁ ଧୁବ୍ରି ଗସ୍ତ କରିଛି ଏବଂ ମନ୍ଦିର ଏବଂ ପବିତ୍ର ସ୍ଥାନଗୁଡ଼ିକୁ ଅପବିତ୍ର କରୁଥିବା ଦୁର୍ବୁତ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।” ରବିବାର ଧୁବ୍ରି ସହରରେ ଏକ ମନ୍ଦିର ନିକଟରୁ ମାଂସ ଖଣ୍ଡ ମିଳିବା ପରେ ଲୋକମାନେ ବିରୋଧ କରିବା ପରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଜିଲ୍ଲାରେ RAF ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ଏବଂ ଧୁବ୍ରିର ସମସ୍ତ ଅପରାଧୀଙ୍କୁ ଗିରଫ କରାଯିବ । ସେ କହିଛନ୍ତି ଯେ ଯେଉଁମାନେ ଆଇନକୁ ନିଜ ହାତକୁ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବକ୍ରୀଦ ର ଗୋଟିଏ ଦିନ ପରେ ଜୁନ୍ ୭ ତାରିଖରେ ଧୁବ୍ରି ଜିଲ୍ଲା ମୁଖ୍ୟାଳୟର ହନୁମାନ ମନ୍ଦିର ସମ୍ମୁଖରେ ଏକ ଗାଈର ମୁଣ୍ଡ ମିଳିଥିଲା, ଯାହା ପରେ ହିନ୍ଦୁ ଏବଂ ମୁସଲିମ ଉଭୟ ସମ୍ପ୍ରଦାୟର ଲୋକମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ନିବେଦନ କରିଥିଲେ । ଏହାର ପରଦିନ ପୁଣି ଥରେ ମନ୍ଦିର ସାମ୍ନାରେ ଏକ ଗାଈର ମୁଣ୍ଡ ରଖାଯାଇଥିଲା ଏବଂ ରାତିରେ ପଥର ଫିଙ୍ଗାଯାଇଥିଲା ।

Comments are closed, but trackbacks and pingbacks are open.