ସ୍ତଗିତ ରହିଲା ଆକ୍ସମ-୪ର ଉତ୍‌କ୍ଷେପଣ

197

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି। ଏହି ଖବର ‌ସ୍ପେସ୍‌ ଏକ୍ସର ଏକ୍ସ ପୋଷ୍ଟ୍‌ରେ ନିଶ୍ଚିତ କରାଯାଇଛି। ପୋଷ୍ଟ-ଷ୍ଟାଟିକ୍ ଫାୟାର ବୁଷ୍ଟର ଯାଞ୍ଚ ସମୟରେ ତରଳ ଅମ୍ଳଜାନ (LOx) ଲିକ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲିକ୍ ମରାମତି କରିବା ପାଇଁ ସମୟ ଲାଗିବ। ମରାମତି ସମ୍ପୂର୍ଣ୍ଣ ହେବା ପରେ ଏବଂ ପରିସର ଉପଲବ୍ଧତା ଉପରେ ନିର୍ଭର କରି ଏକ ନୂତନ ଉ‌ତ୍‌କ୍ଷେପଣ ତାରିଖ ସ୍ଥିର କରାଯିବ ବୋଲି କମ୍ପାନି କକ୍ଷରୁ କୁହାଯାଇଛି। ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିଲା। ଭାରତ, ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ସ୍ପେସ୍‌ ଏକ୍ସ ଡ୍ରାଗନ ଯାନ ଆଇଏସ୍‌ଏସ୍‌ ଯିବ। ଭାରତୀୟ ବାୟୁସେନାର ପାଇଲଟ୍ ତଥା ଇସ୍ରୋ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମିସନ୍‌ର ପାଇଲଟ୍ ଭାବେ କାର୍ଯ୍ୟ କରିବେ ଏବଂ ମିସନ୍‌ କମାଣ୍ଡର ପେଗି ହ୍ୱିଟସନ୍ ଏବଂ ହଙ୍ଗେରୀ ଓ ପୋଲାଣ୍ଡର ବିଶେଷଜ୍ଞଙ୍କ ସହ ଯୋଗ ଦେବେ।

Comments are closed, but trackbacks and pingbacks are open.