ରାଜସ୍ଥାନରେ ଓଡ଼ିଆ ପୁଅକୁ ବଡ଼ ଦାୟିତ୍ୱ, ଆର୍‌ପିଏସ୍‌ସିର ନୂଆ ଅଧ୍ୟକ୍ଷ ହେଲେ ଉତ୍କଳ ରଞ୍ଜନ ସାହୁ

200

ଭୁବନେଶ୍ବର: ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ୱ ମିଳିଛି। ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକସେବା ଆୟୋଗ (ଆରପିଏସ୍‌ସି) ର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ ରାଜ୍ୟପାଳ ହରିଭାଉ ବଗାଡ଼େଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ସାହୁଙ୍କ ନିଯୁକ୍ତି ସମ୍ପର୍କିତ ସରକାରୀ ନିଯୁକ୍ତି ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି। ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଶ୍ରୀ ସାହୁ ୧୯୯୧ରେ ରାଜସ୍ଥାନର ଯୋଧପୁର ଏଏସ୍‌ପି ଭାବେ ନିଜ ଚାକିରି ଆରମ୍ଭ କରିଥିଲେ। ତେବେ ଆରପିଏସ୍‌ସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ନିଜର ଯୋଜନା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଆଦେଶାନୁସାରେ ତାଙ୍କୁ ଦାୟିତ୍ୱ ମିଳିଛି। ଏହାକୁ ନିଷ୍ଠାର ସହିତ ସେ ପାଳନ କରିବି। ସେ ଦୀର୍ଘ ୩୫ବର୍ଷ ହେଲା ସରକାରୀ ସେବାରେ ରହିଆସିଛନ୍ତି ଏବଂ ସବୁବେଳେ ଆଦେଶର ପାଳନ କର୍ତ୍ତବ୍ୟବୋଧ ତଥା ଦାୟିତ୍ୱବୋଧ ସହକାରେ ପାଳନ କରିଛନ୍ତି। ତାଙ୍କୁ ଏବେ ରାଜସ୍ଥାନ ସରକାର ଯେଉଁ ନୂଆ ଦାୟିତ୍ୱ ଦେଇଛନ୍ତି ଏହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ନିଷ୍ଠାର ସହକାରେ ପାଳନ କରିବାକୁ ଉଦ୍ୟମ କରିବେ। ରାଜସ୍ଥାନ ରାଜ୍ୟ ଲୋକସେବା ଆୟୋଗରେ ଏବେ ଯାହା କିଛି ବି ସମସ୍ୟା ରହିଛି, ସେସବୁକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରିବା ପରେ ସେସବୁକୁ ଦୂର କରିବା ଦିଗରେ କାମ କରିବା ତାଙ୍କର ପ୍ରାଥମିକତା ହେବ। ଯଥା ସମ୍ଭବ ସେ ସବୁକିଛି ଭଲ କରିବାକୁ ଉଦ୍ୟମ କରିବେ।

Comments are closed, but trackbacks and pingbacks are open.