ରାସ୍ତାରେ ଗାଡି ଯାଞ୍ଚ ଓ ଜରିମାନା ଆଦାୟ କ୍ଷମତା ପୋଲିସକୁ ପ୍ରଦାନ

334

ଭୁବନେଶ୍ବର: ଏଣିକି ରାସ୍ତାରେ ଗାଡି ଯାଞ୍ଚ ଏମଭିଆଇ ନୁହେଁ ପୋଲିସ କରିବ। ଏ ନେଇ  ରାଜ୍ୟ ପରିବହନ କମିଶନର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ପୋଲିସ ପରି ଏମଭିଆଇମାନେ କ୍ଷମତା ପ୍ରାପ୍ତ ହୋଇ ନ ଥିବାରୁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ରାସ୍ତାରେ ଗାଡି ଯାଞ୍ଚ ଏବଂ ଜରିମାନା ଆଦାୟ କ୍ଷମତା ପୋଲିସକୁ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି। ଓଡିଶା ବସ ମାଲିକ ସଂଘ ଏହି ନିଷ୍ପତିକୁ ନେଇ ବିରୋଧ କରିଛି। ସଂଘ କହିଛି ଯେ, ପୋଲିସ କ୍ଷମତା ଦେଲେ ସେମାନେ ରାସ୍ତାରେ ବାରମ୍ବାର ଗାଡି ଯାଞ୍ଚ କରିବେ। ଫଳରେ ରାସ୍ତାରେ ଅଯଥା ଯାତ୍ରୀମାନେ ହଇରାଣ ହେବେ। ସେମାନେ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଭୁବନେଶ୍ବରରୁ ବାଲେଶ୍ବରକୁ ଏକ ବସ ଯାତ୍ରା କରୁଛି ବାଟରେ ଦଶଟି ଥାନା ପଡୁଛି। ସବୁ ଥାନା ଯଦି ଯାଞ୍ଚ କରିବେ ତେବେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ କେତେବେଳେ ପହଞ୍ଚିବେ ବୋଲି ପ୍ରଶ୍ନ କରିଛି ସଂଘ। ଯଦି ଟୋଲ ଗେଟରେ ଗାଡିର କାଗଜପତ୍ର ଯାଞ୍ଚ ହୋଇପାରୁଛି ତେବେ ପୋଲିସକୁ କାହିଁକି ଏପରି କ୍ଷମତା ଦିଆଯିବ ବୋଲି ସଂଘ କହିଛି।

Comments are closed, but trackbacks and pingbacks are open.