ମୁଖ୍ୟମନ୍ତ୍ରୀଙ୍କ କଡା ପଦକ୍ଷେପ : ବିଦା ହେଲେ ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀ

21

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ନେଉଛନ୍ତି କଠୋର ପଦକ୍ଷେପ I ସାଧାରଣଙ୍କୁ ସ୍ୱଚ୍ଛ ଦକ୍ଷ ଓ ସାଧୁତା ବଜାୟ ରଖିବା ପାଇଁ ନିଜ ପ୍ରଶାସନ ଉପରେ ସବୁବେଳେ ଗୁରୁତ୍ତ୍ଵ ଦେଇ ଆସିଛନ୍ତି I
ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଦୁର୍ନୀତିଗ୍ରସ୍ତ ଅପାରଗ ଅଧିକାରୀ ଙ୍କୁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି । ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଶ୍ରୀ ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଢେଙ୍କାନାଳର ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶ୍ରୀ ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ପରିଶେଷରେ ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Leave A Reply

Your email address will not be published.