ସରକାର ଆଣିବେ FASTag ରେ ନୂଆ ପରିବର୍ତ୍ତନ

124

ଜଣେ ବ୍ୟକ୍ତି ଲାଇଫଟାଇମ୍ ଫାସଟାଗ କରିବା ନେଇ ଆଗରୁ ଥିବା ପ୍ରସ୍ତାବକୁ ସରକାର ସ୍ଥଗିତ ରଖିଛନ୍ତି । ଫାସଟାଗ୍ କୁ ନେଇ ଏକ ନୂଆ ପ୍ରସ୍ତାବ ସରକାର ଚିନ୍ତା କରିଛନ୍ତି । ଜଣେ ୩୦ ହଜାର ଟଙ୍କା ଦେଲେ ୧୫ ବର୍ଷ ପାଇଁ ଫାସଟାଗ୍ ଟେନସନ ରହିବ ନାହିଁ ବୋଲି ଆଗରୁ ପ୍ରସ୍ତାବ ଥିଲା ମାତ୍ର ଏବେ କେନ୍ଦ୍ର ସରକାର ଏକ ନୂଆ ଟୋଲ୍ ନୀତି ଆଣିବାକୁ ଯାଉଛନ୍ତି । ହାଇୱେରେ ଯାତ୍ରାକୁ ଅଧିକ ସୁଗମ ଓ ସହଜ କରିବା ପାଇଁ ଏହି ନୂଆ ନୀତି ଉପରେ ସରକାର କାମ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗାଡି ମାଲିକମାନଙ୍କୁ ଦୁଇଟି ଅପସନ୍ ଦିଆଯିବ । ପ୍ରଥମ ଅପସନ୍ ହେଉଛି, ବର୍ଷକୁ ଥରେ ୩ ହଜାର ଟଙ୍କା ଦେଲେ ଜଣେ ନ୍ୟାସନାଲ୍ ହାଇୱେ ଓ ଏକ୍ସପ୍ରେସୱେଜରେ ଅନଲିମିଟେଡ୍ ଟ୍ରାଭେଲ୍ କରିପାରିବେ । ଦ୍ୱିତୀୟ ଅପସନ୍ ହେଉଛି, ଯେଉଁମାନେ ବାର୍ଷିକ ଟୋଲ୍ ଦେବେ ନାହିଁ, ସେମାନେ ଫ୍ଲାଟ ଟୋଲ୍ ଦେବେ । ୧୦୦ କିଲୋମିଟର ଯାତ୍ରା ପାଇଁ ୫୦ ଟଙ୍କା ଦେବାକୁ ପଡିବ । କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ହାଇୱେଜ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ବ୍ୟବସ୍ଥା ଲାଗୁ ହେଲେ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ବର୍ତ୍ତମାନ ଥିବା ଆନୁଷଙ୍ଗୀକ ଭିତ୍ତିଭୂମିରେ ହିଁ ଏହା କରାଯାଇପାରିବ । ଆଗରୁ ଲାଇଫଟାଇମ୍ ଫାସଟାଗ ବ୍ୟବସ୍ଥା ସରକାରଙ୍କ ବିଚାରାଧୀନ ଥିଲା । କିନ୍ତୁ ସରକାର ଲାଇଫଟାଇମ୍ ଫାସଟାଗ୍ ନକରି ବର୍ଷିକିଆ ଅନଲିମିଟେଡ୍ ଅଫର୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

Comments are closed, but trackbacks and pingbacks are open.