୨୯ରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

476

ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉଦ୍ୟମକ୍ରମେ ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୨୯ତାରିଖରେ ପୁରୀରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନଙ୍କ ଉପସ୍ଥିତିରେ ଏହି ଅଭିଯାନର ଶୁଭାରମ୍ଭ କରାଯିବ। ଏହି ୧୫ ଦିନିଆ ଅଭିଯାନରେ ଶ୍ରୀ ଚୌହାନ ପ୍ରାୟ ୨୦ଟି ରାଜ୍ୟ ଗସ୍ତକରି କୃଷକ ଏବଂ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବା ସହିତ ସେମାନଙ୍କ ସହ ସିଧାସଳଖ ମତ ବିନିମୟ କରିବେ। ମେ ୨୯ ତାରିଖରେ ଓଡ଼ିଶାରେ ଏହାର ଶୁଭାରମ୍ଭ ହେବା ପରେ ଶ୍ରୀ ଚୌହାନ ଜାମ୍ମୁ, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ମେଘାଳୟ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଛତିଶଗଡ଼ ଗସ୍ତ କରିବେ ଏବଂ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ କୃଷକ ଏବଂ ବୈଜ୍ଞାନିକ ଦଳ ସହ ଭାବ ବିନିମୟ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ ଫସଲ ପାଇଁ ଆଧୁନିକ ଜ୍ଞାନକୌଶଳ ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା, ଲାଭଦାୟକ ସରକାରୀ ଯୋଜନା ଓ ନୀତି ବିଷୟରେ ସଚେତନତା ସୃଷ୍ଟିକରିବା, ଫସଲ ଚୟନ ଓ ସନ୍ତୁଳିତ ସାର ପ୍ରୟୋଗ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବହାର କରିବା ଉପରେ କୃଷକମାନଙ୍କୁ ମାର୍ଗଦର୍ଶନ କରିବା ଏବଂ କୃଷକଙ୍କ ନେତୃତ୍ୱାଧୀନ ନବସୃଜନକୁ ବୁଝିବା ପାଇଁ ମତାମତ ସଂଗ୍ରହ କରିବା ତଥା ସେହି ଅନୁଯାୟୀ ଅନୁସନ୍ଧାନ ନିର୍ଦ୍ଦେଶାବଳୀ ପରିଚାଳିତ କରିବା। ଖରିଫ ଋତୁରେ କୃଷକମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦେଶର ପ୍ରାୟ ୭୦୦ରୁ ଅଧିକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗରେ ଦେଶବ୍ୟାପୀ ‘ବିକାଶ କୃଷି ସଂକଳ୍ପ ଅଭିଯାନ’ ଆୟୋଜନ କରାଯିବ। ଏହି ସମୟରେ ବୈଜ୍ଞାନିକମାନଙ୍କ ଦଳ ଗାଁ-ଗାଁ ଯାଇ କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଏହି ଅଭିଯାନରେ ଦେଶର ସମସ୍ତ ୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଆଇସିଏଆର୍‌ର ସମସ୍ତ ୧୧୩ଟି ପ୍ରତିଷ୍ଠାନ, ରାଜ୍ୟସ୍ତରୀୟ ବିଭାଗ, କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ପ୍ରଗତିଶୀଳ କୃଷକ ଏବଂ କୃଷି ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ। ଏ ଦିଗରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବିକଶିତ କୃଷି ସହିତ ଏହି ଅଭିଯାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ୨୦୪୭ ସଂକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Comments are closed, but trackbacks and pingbacks are open.