ଭୁବନେଶ୍ବର: କଟକ ଜିଲ୍ଲା ଚୌଦ୍ୱାରସ୍ଥିତ କଟକ ମଣ୍ଡଳ କାରାଗାରରେ ଶନିବାର ଜଣେ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ବଡ଼ ସାମନ୍ତରାପୁର ଗ୍ରାମର ବିଷ୍ଣୁ ପ୍ରସାଦ ସ୍ୱାଇଁ। ସେ ଜେଲ୍ ପରିସରସ୍ଥ ଏକ ଆମ୍ବଗଛରେ ନିଜର ବ୍ୟବହୃତ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜେଲ୍ ସୂତ୍ରରୁ ପ୍ରକାଶ। ମୃତ ବିଷ୍ଣୁ ଗତ ୨୦୨୧ ମସିହା ଜୁନ୍ ୨୯ ତାରିଖରେ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ତାଙ୍କ ସମ୍ପର୍କୀୟ ବଡ଼ଭାଇଙ୍କୁ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହି ଘଟଣାରେ ସେ ଜେଲ୍ରେ ଥିଲା। କିଛିଦିନ ତଳେ ତାଙ୍କ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ୧୦ ଦିନ ଛୁଟିରେ ଘରକୁ ଯାଇଥିଲେ। ଫେରିବା ପରେ କୌଣସି କାରଣରୁ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବାବେଳେ ସେ ଚିନ୍ତାଗ୍ରସ୍ତ ରହୁଥିବା କାରାଗାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କାରାଗାର ବାରାକ୍ରେ ରହୁଥିବା କଏଦୀଙ୍କୁୁ ୱାର୍ଡର୍ଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କାରଣରୁ ବାହାରକୁ ନିଆଯାଇଥାଏ। କାର୍ଯ୍ୟ ସମାପ୍ତି ପରେ ସେମାନଙ୍କୁ ମୁଣ୍ଡଗଣତି କରାଯାଇ ପୁଣି ବାରାକ୍ ଭିତରେ ପୂରାଇ ତାଲା ପକାଯାଇଥାଏ। ମାତ୍ର ବିଷ୍ଣୁ ମୁଣ୍ଡଗଣତିରେ ନ ଆସିବା ଏବଂ ୱାର୍ଡ ସମ୍ମୁଖ ଭାଗରେ ଥିବା ଆମ୍ବଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ଘଟଣା ସନ୍ଦେହ ସୃଷ୍ଟିକରୁଛି ବୋଲି କେତେକ କାରାଗାର କର୍ମଚାରୀ ପ୍ରକାଶ କରିଛନ୍ତି। ଖବର ପାଇ ଜେଲ୍ କର୍ତ୍ତୃପକ୍ଷ ବିଷ୍ଣୁପ୍ରସାଦଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବିଷ୍ଣୁଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ହତ୍ୟା, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ଜେଲର୍ କହିଛନ୍ତି। ସମ୍ପୂର୍ଣ୍ଣ କାରାଗାର ପରିସର ସିସିଟିଭି ନଜରରେ ଥିଲାବେଳେ ଏପରି କିପରି ଘଟିଲା ତାହା ତଦନ୍ତ ସାପେକ୍ଷ। ଯାହା କାରାଗାରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ବିଷ୍ଣୁଙ୍କ ପରିବାର ପକ୍ଷରୁ ଏନେଇ ଚୌଦ୍ୱାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
Comments are closed, but trackbacks and pingbacks are open.