ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପ ତାଲିକା ପ୍ରକାଶିତ

115

ଭୁବନେଶ୍ଵର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ନୂତନ ଅନୁମୋଦିତ ହସ୍ତଶିଳ୍ପ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ହସ୍ତଶିଳ୍ପ କ୍ଷେତ୍ରରେ ୫୫ ଗୋଟି ହସ୍ତଶିଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଏବେ ତାଲିକାକୁ ସଂଶୋଧନ କରାଯାଇ ୬୧ ଗୋଟି ହସ୍ତଶିଳ୍ପକୁ ତାଲିକାଭୁକ୍ତ କରାଯାଇଅଛି । ନୂତନ ଭାବେ ତାଲିକାଭୁକ୍ତ ୬ ଗୋଟି ହସ୍ତଶିଳ୍ପ ମଧ୍ୟରେ ରହିଛି ନାଳିଆ ଘାସ କାମ, ସିସଲ ଘାସ କାମ, ହେଂସୁଆତି କାମ, ତମ୍ବା ଧାତୁ ନିର୍ମିତ ହସ୍ତଶିଳ୍ପ, ନମନୀୟ ପିତ୍ତଳ ମାଛ କାମ ଓ କଳା ଢୋକରା କାମ । ଏହି ହସ୍ତଶିଳ୍ପଗୁଡିକୁ ତାଲିକାଭୁକ୍ତ କରିବା ନିମନ୍ତେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ସୁପାରିଶ କ୍ରମେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ଅନୁମୋଦନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ କହିଛନ୍ତି, ହସ୍ତଶିଳ୍ପର ବିକାଶ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହା ଫଳରେ କାରିଗରଙ୍କୁ ସରକାରୀ ସହାୟତା ମିଳିପାରିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ସଂଶୋଧିତ ହସ୍ତଶିଳ୍ପ ମଧ୍ୟରେ ରହିଛି ଚାନ୍ଦୁଆ, କାରୁକାର୍ଯ୍ୟ ପୂର୍ଣ୍ଣ ଚମଡା କାମ, କାରୁକାର୍ଯ୍ୟ ପୂର୍ଣ୍ଣ ସପ, କାରୁକାର୍ଯ୍ୟ ପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକଛାପ କାମ, ଗୁଆ କାମ, କଂସା ଓ ପିତ୍ତଳ କାମ, ବେତ କାମ, ମାଟି କଣ୍ଢେଇ, କପଡ଼ା ଫୁଲ, କପଡ଼ା ତାଳିପକା କାମ, କପଡ଼ା କଣ୍ଢେଇ, ନଡିଆ ସଢେଇ କାମ, କତା ହସ୍ତଶିଳ୍ପ, ଢୋକରା କାମ, ସୂଚୀ କାମ, କାଇଚଁ କାମ, ଗୋପା କାମ, ଦରି ଓ ସତରଞ୍ଜି କାମ, ହସ୍ତ ନିର୍ମିତ ଅଳଙ୍କାର, ଶିଙ୍ଗ କାମ, ଜୟଖାଡି କାମ, ଝୋଟ ନିର୍ମିତ ହସ୍ତଶିଳ୍ପ, କିଆ ପତ୍ର କାମ, ଲାଖ କାମ, ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ, ଧାନରୁ ତିଆରି ହସ୍ତଶିଳ୍ପ, ଡ଼ଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜା ଜିନିଷ, ତାଳପତ୍ର ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ସବାଇ ଘାସ କାମ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଏବଂ ମାଟିପତ୍ର କାମ, ଯାତ୍ରା ପୋଷାକ, ଆଦିବାସୀ ଅଳଙ୍କାର, ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ, ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ, ନାଳିଆ ଘାସ କାମ, ସିସଲ ଘାସ କାମ, ହେଂସୁଆତି କାମ , ତମ୍ବା ଧାତୁ ନିର୍ମିତ ହସ୍ତଶିଳ୍ପ, ନମନୀୟ ପିତ୍ତଳ ମାଛ କାମ, କଳା ଢୋକରା କାମ । ଏହି ତାଲିକାଭୁକ୍ତ ହସ୍ତଶିଳ୍ପଗୁଡିକର ବିକାଶ ଏବଂ ଏହି ହସ୍ତଶିଳ୍ପରେ କାର୍ଯ୍ୟରତ କାରିଗରମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ନିମନ୍ତେ ଏହି ୬୧ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦନ କରାଯାଇଛି ।

Comments are closed, but trackbacks and pingbacks are open.