କ୍ରୀଡ଼ାବିତଙ୍କ ସ୍ୱର୍ଣ୍ଣିମ ଜୟଯାତ୍ରା ପାଇଁ ଆମେ ଗର୍ବିତ: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ-୨୦୨୫ରେ ଓଡ଼ିଶା ମହିଳା ହକି ଦଳ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶା ପୁରୁଷ ହକି ଦଳ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ-୨୦୨୫ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ପୁରୁଷ ଫୁଟବଲ୍ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି।
ଆଜି କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ମହିଳା ହକି ଦଳ, ପୁରୁଷ ହକି ଦଳ ଏବଂ ଓଡ଼ିଶା ପୁରୁଷ ଫୁଟବଲ୍ ଦଳର କ୍ରୀଡ଼ାବିତମାନଙ୍କୁ ଭେଟି କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ-୨୦୨୫ରେ ଉଚ୍ଚକୋଟୀରର ପ୍ରଦର୍ଶନ ମାଧ୍ୟମରେ ଆମ କ୍ରୀଡ଼ାବିତମାନେ ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି। ଆମ କ୍ରୀଡ଼ାବିତମାନେ ହେଲେ ଆମ ଗର୍ବ ଓ ଗୌରବ। ଆଗକୁ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ କ୍ରୀଡ଼ାବିତମାନଙ୍କର ବିଜୟର ଯାତ୍ରା ଜାରି ରହୁ। ଏଥିସହ ମହିଳା ହକି ଦଳର ସ୍ୱର୍ଣ୍ଣିମ ବିଜୟ ପାଇଁ ଦଳର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଉଛି। ଦେଶକୁ ଶାସନ କରିବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ଦେଶ ପାଇଁ ଲଢ଼ିବା ପର୍ଯ୍ୟନ୍ତ ମହିଳାମାନେ ସବୁଠି ନେତୃତ୍ୱ ନେଇଛନ୍ତି। ଆଜି ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ଓଡ଼ିଶାର ସମସ୍ତ ମହିଳା କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିଛି ଏବଂ କ୍ରୀଡ଼ାକ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ମଧ୍ୟ ଯୋଗାଇଛି। ମହିଳା ହକି ଦଳର ସମସ୍ତ କ୍ରୀଡ଼ାବିତମାନଙ୍କର କଠିନ ପରିଶ୍ରମର ଫଳ ହେଉଛି ଏହି ସ୍ବର୍ଣ୍ଣ ପଦକ। ଆମ ରାଜ୍ୟରେ ତୃଣମୂଳ ସ୍ତରରେ ସୁଦୃଢ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଓ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଆମ ସରକାର ତରଫରୁ ବିଭିନ୍ନ କାର୍ଯ୍ୟ କରାଯାଉଛି। ଆଗାମୀ ଦିନରେ କ୍ରୀଡ଼ାର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପ୍ରଦାନ କରାଯିବ”, ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଓ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.