ଜଳଖିଆରେ ପୁଅ ଝିଅଙ୍କୁ ବିଷ ଦେଇ ବାପାଙ୍କ ଆତ୍ମହତ୍ୟା

134

ଭୁବନେଶ୍ବର: ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ ପାଣିଗ୍ରାହୀ(୩୮)ଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଛି। ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀ ଶ୍ବେତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପାରିବାରିକ କଳହରୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏଯାଏ କାରଣ ଅସ୍ପଷ୍ଟ ରହିଛି। ଏଭଳି ସ୍ଥିତିରେ ଶୁଭାଶିଷ ପିଲାଙ୍କୁ ବିଷ ଖୁଆଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ବାପାଙ୍କୁ ଫୋନ କରି ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ଶୁଭାଶିଷ ସକାଳେ ଜଳଖିଆରେ ପୁଅଝିଅଙ୍କୁ ବିଷ ଦେଇଥିଲେ। ନିଜେ ବିଷ ଖାଇବା ପୂର୍ବରୁ ଶୁଭାଶିଷ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡରେ ରହୁଥିବା ତାଙ୍କ ବାପାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ବାପା ବୁଚିବାବୁ ପାଣିଗ୍ରାହୀ ଓଡିଆ ପାରଳା ସାହିରେ ପହଞ୍ଚି ଗୁରୁତର ଅବସ୍ଥାରେ ପଡିଥିବା ୩ ଜଣଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ପରେ ବାପଝିଅଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ସେଠାରେ ରାତିରେ ଝିଅ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ଶୁଭାଶିଷଙ୍କ ମୃତ୍ୟୁ ଘଟିଛି। ତେବେ ବୋହୂର ମୃତ୍ୟୁ ପରେ ଶୁଭାଶିଷ ଦୁଶ୍ଚିନ୍ତାରେ ରହୁଥିଲେ। ତେଣୁ ସେ ଏଭଳି କାଣ୍ଡ କରିଥିବା ଶୁଭାଶିଷଙ୍କ ବାପା ବୁଚିବାବୁ କହିଛନ୍ତି।

Comments are closed, but trackbacks and pingbacks are open.