୨୬ ନକ୍ସଲ ନିପାତ

273

ରାୟପୁର : ବୁଧବାର ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କାରେଗୁଟ୍ଟା ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପ୍ରାୟ ୨୬ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ତେଲେଙ୍ଗାନାର କାରେଗୁଟ୍ଟା ପାହାଡ଼ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ଅପରେସନ୍‌ରେ କେବଳ ୨୦ହଜାର ସୁରକ୍ଷା ଯବାନ୍ ସାମିଲ ହୋଇଛନ୍ତି। ତେବେ ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷା ଯବାନ୍‌ଙ୍କ ଉପରକୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଜବାବରେ ସୁରକ୍ଷା ଯବାନ୍‌ମାନେ ମଧ୍ୟ ଫାୟାରିଂ କରିଥିଲେ। ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୨୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁୂଳ ପରିମାଣର ବିସ୍ଫୋରକ ସାମଗ୍ରୀ, ବନ୍ଧୁକ, ମାଓ ପୋଷ୍ଟର ଆଦି ଜବତ ହୋଇଥିବା ସୂଚନା ମିଳିଛି। ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ମାଓ ବିରୋଧୀ ଅଭିଯାନ ବୋଲି ବିବେଚନା କରାଯାଉଛି। ଆଜିକୁ ଗତ ୧୬ ଦିନ ଧରି ସିଆରପିଏଫ୍‌, ଡିଆର୍‌ଜି, ଏସ୍‌ଟିଏଫ୍ ଯବାନମାନେ ଏହି ଅଞ୍ଚଳରେ ମାଓ ବିରୋଧୀ ଅପରେଶନ ଜାରି ରଖିଛନ୍ତି। ତେବେ କେରାଗୁଟା ଜଙ୍ଗଲରେ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ରହିଥିବା ଗୋଇନ୍ଦା ସୁତ୍ରରୁ ଖବର ପାଇ ୧୬ ଦିନ ପୁର୍ବରୁ ହିଁ ଯବାନମାନେ ସମ୍ପୂର୍ଣ୍ଣ କେରାଗୁଟା ଜଙ୍ଗଲ, ପାହାଡ଼କୁ ଘେରାଉ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ତେବେ ଏସବୁ ମଧ୍ୟରେ ଏହି ଜଙ୍ଗଲ ଓ ପାହାଡ଼ରେ ଆହୁରି କିଛି ଟପ୍ କ୍ୟାଡର ମାଓବାଦୀମାନେ ଓ ମାଓବାଦୀ ନେତାମାନେ ଉପସ୍ଥିତ ଥିବା ଜଣାପଡ଼ିଛି। ଏହି ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ହୋଇଥିବାବେଳେ ଏଠାରେ ମାଓବାଦୀଙ୍କ ଦ୍ୱାରା ଶହ ଶହ ଲ୍ୟାଣ୍ଡମାଇନ ବିଛାଯାଇଛି ଏବଂ ତାଙ୍କ ନିକଟରେ ମଧ୍ୟ ବନ୍ଧୁକ, ଗୋଳାବାରୁଦ ବିଫୁଳ ସଂଖ୍ୟାରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ସର୍ଚ୍ଚ ଅପରେଶନ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ସିଆରପିଏଫ୍ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ମୃତ୍ୟୁବରଣ କରିଥିବା ମାଓବାଦୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିବାରୁ ଜଙ୍ଗଲରୁ ସମ୍ପୂର୍ଣ୍ଣ ଖବର ଆସିବା ପରେ ଏହାର ତଥ୍ୟ ପ୍ରଦାନ କରାଯିବ ବୋଲି ଉଭୟ ରାଜ୍ୟର ପୁଲିସ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯବାନ୍‌ଙ୍କୁ ପ୍ରଶଂସା କରିବା ସହ କେନ୍ଦ୍ର ସରକାରଙ୍କ ନାରା ୨୦୨୬ ସୁଦ୍ଧା ମାଓବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ’ ଦୋହରାଇଛନ୍ତି।

Comments are closed, but trackbacks and pingbacks are open.