ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ସହ ପୁଞ୍ଜି ନିବେଶ ନାଁରେ କୋଟି କୋଟି ଟଙ୍କା ଲୋକମାନଙ୍କଠାରୁ ଠକିଛନ୍ତି । ଏହା ଜଣା ପଡିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗ ଆଧାରରେ ଠକେଇ ମାମଲା ରୁଜୁ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦୁଇ ଠକ ହେଉଛନ୍ତି ଅଂଶୁମାନ ଶର୍ମା ଏବଂ ଅରବିନ୍ଦ କୁମାର । ଏମାନଙ୍କ ଘର ଆଗ୍ରା ଏବଂ ପ୍ରୟାଗରାଜରେ ବୋଲି ଜଣାପଡିଛି |
ସୂଚନାନୁସାରେ, ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ଖୋଲି ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ହ୍ୱାଟ୍ସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ। ଏହି ଠକେଇ ପାଇଁ କାନାରା ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋ-ଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି। ଏହା ଜଣାପଡିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକଗଣ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।
Comments are closed, but trackbacks and pingbacks are open.