କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସାକ୍ଷାତ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। କେନ୍ଦ୍ରାପଡାର ତଳି ଅଞ୍ଚଳକୁ ଜଳମଗ୍ନ ହେବାରୁ ମୁକ୍ତ କରିବା ତଥା ବନ୍ୟା ନିୟନ୍ତ୍ରଣ ପାଇଁ ଲୁଣାନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯିବା ପାଇଁ ସାଂସଦ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଗହଗପାଟ ଅଞ୍ଚଳ, କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିସିବିଲପାଟ ଅଞ୍ଚଳରେ ବନ୍ୟା ଦ୍ୱାରା ଜଳମଗ୍ନ ହେଉଥିବା ଅଞ୍ଚଳ ଗୁଡିକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଏକ ଚାରିଟେବୁଲ ମଲ୍ଟିସ୍ପେଷାଲ୍ଟି ହସ୍ପିଟାଲ ନିର୍ମାଣ ନିମନ୍ତେ ଜମି ଚିହ୍ନଟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ ସତ୍ୟସାଇ ସେବା ସମିତି ପକ୍ଷରୁ କେନ୍ଦ୍ରାପଡାରେ ଏକ ହସ୍ପିଟାଲ ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ଅଛି। ଏହା ସହିତ କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜିଷ୍ଟିକ୍ସ ପାର୍କ ନିର୍ମାଣ, ଶୀତଳ ଭଣ୍ଡାର ପ୍ରତିଷ୍ଠା, ପାନୀୟ ଜଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଡାଙ୍ଗମାଳ ଅଞ୍ଚଳରେ ଇକୋ ଟୁରୁଜିମ, ଲଳିତଗିରିରେ ବୌଦ୍ଧ ପର୍ଯ୍ୟଟନକୁ ଆହୁରି ବ୍ୟାପକ କରିବା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ଖାଲି ପଡିଥିବା ସରକାରୀ ପଦବୀ ଗୁଡିକୁ ପୂରଣ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲାରେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.