ଭୁବନେଶ୍ୱର: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ଅନୁପ୍ରବେଶ କରି ପାକିସ୍ତାନୀ, ବାଂଲାଦେଶୀ ରାଶନ କାର୍ଡ ହାତେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ନାଁ କାଟିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ପହଲ୍ଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣର ଦାୟିତ୍ୱ ପାକିସ୍ତାନ ଆଧାରିତ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ)’, ଲସ୍କର-ଏ-ତୋଇବାର ଏକ ଶାଖା ନେଇଥିବା ବେଳେ, ପାକିସ୍ତାନ ସେନା ନିକଟରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଗୁଳିମାଡ଼ ଆରମ୍ଭ କରିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକିସ୍ତାନ ନାଗରିକଙ୍କ ଭିଜା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାଜ୍ୟରେ ଥିବା ପାକ ନାଗରିକଙ୍କୁ ଚିହ୍ନଟ କରି ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବାହାର କରିବାକୁ ଶାହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହିଛନ୍ତି ବୋଲି ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ବିଦା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
Comments are closed, but trackbacks and pingbacks are open.