ରାଜ୍ୟ ରେ ୯ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

24

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣରେ ୯ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ବିଶେଷକରି ଫୁଡ୍ ପ୍ରୋସେସିଂ, ଇସ୍ପାତ ଡାଉନଷ୍ଟ୍ରିମ, ସାର, ନିର୍ମାଣ ଓ ହସ୍ପିଟାଲିଟି କ୍ଷେତ୍ରରେ ଏହି ନିବେଶ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୧୪୧୧.୫୮କୋଟି ଟଙ୍କାର ଏହି ପୁଞ୍ଜିନିବେଶ ହେବ Iପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୨୮୪୬ ଜଣଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିପାରିବ।
ଆଜି ସିଙ୍ଗଲୱିଣ୍ଡୋ ପ୍ରାଧିକରଣ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ସହ ଏହା ରାଜ୍ୟର ଅର୍ଥନୀତିକ ଗତିବିଧିକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏସବୁ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ ହେବା ପାଇଁ ସେମାନଙ୍କୁ ଆବଶ୍ୟକ ପରିମାଣର ଜମି ଓ ଜଳ ଯୋଗାଇ ଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସିଙ୍ଗଇୱିଣ୍ଡୋ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବାୟୋ ଡବ୍ଲ୍ୟୁଏମଏସ୍ ପ୍ରାଃ ଲିଃ ଦ୍ୱାରା ୩୧୯.୨୫କୋଟି ଟଙ୍କା ବ୍ୟୟରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ଅନୁଗୁଳରେ ବାୟୋମାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏଥିରେ ୧୨୫୦ଜଣ ଲୋକଙ୍କୁ କର୍ମସଂସ୍ଥାନ ମିଳିବ। ଟିପିଏସ୍ ବ୍ରିୱେରିଜ୍ ଆଣ୍ଡ ଡିଷ୍ଟ୍ରିଲାରିସ୍ ପ୍ରାଃ ଲିଃ ଦ୍ୱାରା କଳାହାଣ୍ଡିର ଜୁନାଗଡ଼ଠାରେ ୨୩୫କୋଟି ଟଙ୍କା ବ୍ୟୟରେ ଇଥନଲ୍ ଉତ୍ପାଦନକାରୀ ୟୁନିଟ୍ ସ୍ଥାପନ ହେବ। ଏଥିରେ ୨୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବୌଦ୍ଧରେ ଏମଜିଏମ୍ ବାୟୋଫୁଏଲ ପ୍ରାଃ ଲିଃ ଦ୍ୱାରା ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୨୫.୨୪କୋଟି ଟଙ୍କା ନିବେଶ ହେବ । ଏଥିରେ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଟାଟା ଷ୍ଟିଲ୍ ସ୍ପେଶାଲ ଇନୋମୋନିକ ଜୋନ୍ ଲିଃ ଦ୍ୱାରା ୧୦୭କୋଟି ଟଙ୍କା ବ୍ୟୟରେ ଗୋପାଳପୁର ଏସଇଜେଡ୍‌ରେ ସିୱାଟର ଡିସାଲାଇନ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୨୯ଜଣ ଲୋକଙ୍କୁ କର୍ମ ସଂସ୍ଥାନ ମିଳିବ।
ସହ୍ୟାଦ୍ରି ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ୧୦୦କୋଟି ଟଙ୍କା ପୁଞ୍ଜିନିବେଶରେ ବାଲେଶ୍ୱରରେ ହ୍ୱାଇଟ୍ ଫାଇବର ସିମେଣ୍ଟ କାରଖାନା ସ୍ଥାପନ ହେବ। ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସିସ୍କୋପ ଇନଷ୍ଟ୍ରାଷ୍ଟକଚର ଆଣ୍ଡ ହସ୍ପିଟାଲାଟି ପ୍ରାଃ ଦ୍ୱାରା କୋଣାର୍କ ନିକଟରେ ହୋଟେଲ କମ୍ ରିସୋର୍ଟ ସ୍ଥାପନ କରାଯିବ। ଏଥିରେ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶର ପ୍ରସ୍ତାବ ରହିଛି ଓ ଏହାଦ୍ୱାରା ୧୭୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି ଓଡ଼ିଶା କଂକ୍ରିଟ୍ ପ୍ରାଃ ଲିମିଟେଡ୍ ଦ୍ୱାରା ୫୪.୪୨କୋଟି ଟଙ୍କା ବ୍ୟୟରେ ବାରଙ୍ଗଠାରେ ଡ୍ରେନେଜ୍ ଓ ସିୱେଜ୍ ସିଷ୍ଟମ ପ୍ରଡକ୍ଟ ଉତ୍ପାଦନ ପାଇଁ କାରଖାନା ସ୍ଥାପନ କରାଯିବ। ଏହା ଦ୍ୱାରା ୧୦୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବାରିପଦାରେ ୫୫କୋଟି ଟଙ୍କା ବ୍ୟୟରେ ନ୍ୟୁ ମଡର୍ଣ୍ଣ ଟେକ୍ନୋମେକ୍ ପ୍ରାଃର ସମ୍ପ୍ରସାରଣ ହେବ ଓ ୫୬୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପରିବେଶ ସଚିବ ମୋନା ଶର୍ମା, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.