ଏୟାର ଇଣ୍ଡିଆ ର ଘରୋଇ କରଣ ସମ୍ପର୍କ ରେ ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

32

ସରକାରୀ ବିମାନ ସେବା ପ୍ରଦାନ କାରି ସଂସ୍ଥା ଏୟାର ଇଣ୍ଡିଆର ଘରୋଇ କରଣ ସମ୍ପର୍କିତ ଖବର ପ୍ରସାରିତ ହେବାପରେ ଏହା ଉପରେ କେନ୍ଦ୍ର ସରକାର ଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି I ଆଜି ସକାଳୁ ସବୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆ ର ବିକ୍ରି ନିଲାମ ରେ ଟାଟା ଗ୍ରୁପ୍‌ ବାଜିମାତ କରିଛି।
ହେଲେ ଏହି ରିପୋର୍ଟ ଭୁଲ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। ଡିଆଇଏପିଏଏମ ସେକ୍ରେଟାରୀ ପକ୍ଷରୁ କୁହାଯାଇଛି ଯେ “ମିଡିଆରେ ପ୍ରକାଶିତ ରିପୋର୍ଟରେ ଏପରି ସଙ୍କେତ ଦିଆଯାଇଛି ଯେ ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏଯାଏ କୌଣସି ବିଡ୍‌କୁ ସରକାର ମଞ୍ଜୁରୀ ଦେଇ ନାହାନ୍ତି। ରିପୋର୍ଟ ଭୁଲ। ସରକାର ନିଷ୍ପତ୍ତି ନେବା ପରେ ସରକାର ମିଡିଆକୁ ଏ ସମ୍ପର୍କରେ ଅବଗତ କରାଇବେ।“
ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ୍ ଦାଖଲ କରାଯାଇଛି। ସରକାର ନିକଟରେ କହିଥିଲେ ଯେ ଟାଟା ଓ ସ୍ପାଇସ ଜେଟର ଆର୍ଥିକ ବିଡର ମୂଲ୍ୟାଙ୍କନ ଆରମ୍ଭ ହୋଇଛି। ଆଜି ବ୍ଲୁମବର୍ଗରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆ ପାଇଁ ଲାଗିଥିବା ବିଡ୍‌ରେ ଟାଟା ଗ୍ରୁପ୍‌କୁ ସରକାରୀ ପ୍ୟାନେଲ ଅନୁମୋଦନ ପ୍ରଦାନ କରିଛି। ଏହାପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ସରକାର ଏବେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।
ସୂଚନାଯୋଗ୍ୟ, ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଏବେ ପ୍ରାୟ ୬୮ ବର୍ଷ ପରେ ଟାଟା ପୁଣି ଏୟାର ଇଣ୍ଡିଆର ମାଲିକାନା ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି।
ଏୟାର ଇଣ୍ଡିଆ ର ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡ଼ିଥିଲା। ନୂଆ କ୍ରେତାଙ୍କୁ ୨୩,୨୮୬.୫ କୋଟିର କରଜ ବୋଝ ମୁଣ୍ଡାଇବାକୁ ପଡ଼ିବ। ଅବଶିଷ୍ଟ କରଜକୁ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡକୁ ଟ୍ରାନ୍ସଫର କରି ଦିଆଯିବ।
କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ। ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ।

Leave A Reply

Your email address will not be published.